ଖେଳ ପଡ଼ିଆ ଜମିରେ ହେବନି ମାର୍କେଟ କଂପ୍ଲେକ୍ସ

Apr 29, 2018 - 14:37
 125
କଟକ,୨୯ା୪(ସକାଳଖବର): ଖେଳ ପଡିଆ ପାଇଁ ଥିବା ସଂରକ୍ଷିତ ଜମିରେ ମାର୍କେଟ କଂପ୍ଲେକ୍ସ ନିର୍ମାଣକୁ ବିରୋଧ କରି ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଏପରି ଜମି ଉପରେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରାଯିବ ନାହିଁ । ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଓ ଡକ୍ଟତ ଜଷ୍ଟିସ୍ ବି.ଆର୍ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁଜଙ୍ଗ ତଳପଡା ମୌଜାରେ ଥିବା ଖେଳ ପଡିଆ ଜମି ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଖେଳ ପଡିଆ ଜମିରେ କୌଣସି ଦୋକନ ନିର୍ମାଣ କରାଯିବ ନାହିଁ । ଜମିର କିସମ ପରବର୍ତ୍ତନ ନ ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ମାଣ କରାଯାଇପାରିବ ନାହିଁ । ଖେଳ ପଡିଆ କିସମ ଜମିରେ କୌଣସି ପ୍ରକାର ନିର୍ମାଣ କରାଯିବ ନାହିଁ ବୋଲି ସରକାର ଦର୍ଶାଇବା ପରେ ଏ ସଂପର୍କିତ ଜନସ୍ୱାର୍ଥ ମାମଲାରେ ଖଣ୍ଡପୀଠ ଅନ୍ତ ଘଟାଇଛନ୍ତି । କିନ୍ତୁ ଯଦି ଏଥିରେ କୌଣସି ଅବହେଳା କରାଯାଏ ତେବେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରି ପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି । ଜଗତସିଂହପୁର ଜିଲ୍ଲା ରାହାମା ଅନ୍ତର୍ଗତ ତଳପଡା ଗାଁର ପ୍ରମୋଦ କୁମାର ସାହୁଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ରାଟସିଂ ମାମଲା ପରିଚାଳନା କରୁଥିଲେ । ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ କୁଜଙ୍ଗ ତହସିଲର ତଳପଡା ମୌଜାରେ ଖାତା ନମ୍ବର ୮୨୮, ପ୍ଲଟ ନମ୍ବର ୧୭୨୮ର ୬ ଏକର ୮୨ ଡିସିମିଲ ଜମିର କିସମ ଖେଳ ପଡିଆ ରହିଛି । ରାହାମା କଲେଜ ଓ ହାଇସ୍କୁଲ ସମ୍ନାରେ ଥିବା ଏହି ଖେଳ ପଡିଆକୁ କଲେଜ, ହାଇସ୍କୁଲ, ମାଇନର ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି । ଏଥି ସହିତ ତଳପଡା ଓ ସାଇଲୋ ଗ୍ରାମର ବାସିନ୍ଦାମାନେ ବିଭିନ୍ନ ସମାଜିକ, ସଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏହି ସ୍ଥାନରେ ଆୟୋଜନ କରନ୍ତି । ଅତୀତରେ ଏହି ପଡିଆରେ ବିଭିନ୍ନ ସମୟରେ ଅନୁଷ୍ଠିତ ରାଜନୈତିକ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ପଡିଆରେ ହେଲିକପ୍ଟର ଓହ୍ଲାଇବା ପାଇଁ ସୁବିଧା ଥିବାରୁ ବଡ ବଡ ରାଜନୈତିକ ସଭାର ଆୟୋଜନ କରାଯାଇଥିବାର ନଜିର ରହିଛି । କିନ୍ତୁ କିଛି ଦିନ ତଳେ ଏହି ଖେଳ ପଡିଆରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ଆରମ୍ଭ କରାଯାଇଥିଲା । ଖେଳ ପଡିଆ ଜମି ଉପରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ବେଆଇନ ହୋଇଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ ।