ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

Aug 9, 2018 - 18:53
 198
ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ
ଭୁବନେଶ୍ୱର,୯/୮ (ସକାଳଖବର):ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି । ଶ୍ରୀ ସିଂହ ୧୨୫ ଭୋଟ୍ ପାଇଥିବା ବେଳେ ବିରୋଧୀ ଦଳର ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବି.କେ ହରିପ୍ରସାଦ ୧୦୫ଟି ଭୋଟ୍ ପାଇଛନ୍ତି । ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏସମ୍ପର୍କରେ ବିଧିବଦ୍ଧ ଭାବେ ରାଜ୍ୟସଭାରେ ଘୋଷଣା କରିଥିଲେ । ହରିବଂଶ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୪୫ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ଏବେ ୨୪୪ ସଦସ୍ୟ ଅଛନ୍ତି । ନିର୍ବାଚନ ଜିତିବା ପାଇଁ ୧୨୩ ମ୍ୟାଜିକ ନମ୍ବର ଦରକାର ଥିବା ବେଳେ ହରିବଂଶଙ୍କୁ ମିଳିଥିଲା ୧୨୫ଟି ଭୋଟ । ପି.ଜେ କୁରିଏନ୍ ଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ ଜୁନ୍ ମାସରୁ ଖାଲି ପଡ଼ିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ହୋଇଥିଲା । ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ଠାରୁ ଦୂରରେ ଥିଲେ ଉଭୟ ଏନଡ଼ିଏ ଓ ବିରୋଧୀ ଦଳ । ତେବେ ଏହି ନିର୍ବାଚନନରେ ବିଜେଡ଼ିର ୯ ସାଂସଦ କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି, ଜେଡ଼ିୟୁ ଅଧ୍ୟକ୍ଷ ନୀତିଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ଏବଂ ଏନଡ଼ିଏ ପ୍ରାର୍ଥୀ ହରିବଂଶଙ୍କ ପାଇଁ ସମର୍ଥନ ମାଗିଥିଲେ । ହରିବଂଶଙ୍କୁ ସମର୍ଥନ ଦେବା ନେଇ ଗତକାଲି ମୁମ୍ବାଇରୁ ଫେରିବା ପରେ ସୂଚନା ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ