ଧମକ ବିବାଦରେ ନୂତନ ମୋଡ, ବିସିସିଆଇ କମିଟିରେ ସବୁ ବଖାଣିଲେ ଶାହା, ଖୁଲାସା କଲେ ସାମ୍ବାଦିକଙ୍କ ନାମ

Mar 5, 2022 - 15:43
 68
ଧମକ ବିବାଦରେ ନୂତନ ମୋଡ, ବିସିସିଆଇ କମିଟିରେ ସବୁ ବଖାଣିଲେ ଶାହା, ଖୁଲାସା କଲେ ସାମ୍ବାଦିକଙ୍କ ନାମ
ନୂଆଦିଲ୍ଲୀ ୦୫।୦୩: ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହା ଗତ ଦିନରେ ଚର୍ଚ୍ଚାରେ ରହି ଆସିଛନ୍ତି। ଦଳରୁ ବାଦ୍ ପଡିବା ପରେ ଶାହା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିରୋଧରେ ବିଷୋଦଗାର କରିଥିଲେ। ଏଥିସହ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ ଋଦ୍ଧିମାନ ଶାହା। ମାମଲାର ଯାଞ୍ଚ କରୁଥିବା ବିସିସିଆଇ କମିଟି ସାମ୍ନାରେ ଶାହା ଶନିବାର ନିଜର ପକ୍ଷ ରଖିଛନ୍ତି। ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ କରିଥିଲେ ଶାହା। ଶନିବାର ଘଟଣାର ସମସ୍ତ ସୂଚନା ଯାଞ୍ଚ କରୁଥିବା ବିସିସିଆଇ କମିଟିକୁ ଦେଇଛନ୍ତି ଶାହା। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ କମିଟିକୁ ସମସ୍ତ ତଥ୍ୟ ଦେଇଛି। ମୁଁ ଆପଣଙ୍କୁ ଅଧିକ କିଛି କହି ପାରିବି ନାହିଁ। ବିସିସିଆଇ ବୈଠକ ବିଷୟରେ ବାହାରେ କୌଣସି ଆଲୋଚନା ନକରିବାକୁ କହିଛି। କାରଣ ବିସିସିଆଇ ହିଁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ଶାହା କହିଛନ୍ତି। ବିସିସିଆଇ ଶାହାଙ୍କ ମାମଲାରେ ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲା। ଏହି କମିଟିରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଏବଂ ବିସିସିଆଇ ଶୀର୍ଷ ପରିଷଦ ସଦସ୍ୟ ପ୍ରଭତେଜ ସିଂହ ଭାଟିଆ ସାମିଲ୍ ଥିଲେ। କମିଟି ସାମ୍ନାରେ ଶାହା ନିଜର ସମସ୍ତ କଥା ଏବଂ ସାମ୍ବାଦିକଙ୍କ ନାଁ କହିଥିବା ମିଡିଆରେ କହିଛନ୍ତି ରାଜୀବ ଶୁକ୍ଳା। ଶାହା ଏହି ମାମଲାରେ ଫେବୃଆରୀ ୨୩ରେ ଅନେକ ଟୁଇଟ୍ କରି ସାମ୍ବାଦିକଙ୍କ ନାମ ପ୍ରକାଶ କରିବାକୁ ମନା କରି ଦେଇଥିଲେ। ତେବେ ଏବେ ସେ ସାମ୍ବାଦିକଙ୍କ ନାଁ ଉଜାଗର କରିବାକୁ ପ୍ରସ୍ତୁତ ଥିବା ଜଣା ପଡିଛି।