ଦେବଗଡ଼ ପୋଲିସ ଦ୍ଵାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

Mar 5, 2022 - 15:44
 52
ଦେବଗଡ଼ ପୋଲିସ ଦ୍ଵାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ଦେବଗଡ଼ ୦୫/୦୩ : ପୋଲିସ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଦେବଗଡ ଜିଲ୍ଲା ପୋଲିସର ସ୍ପେସାଲ ସ୍କ୍ୱାର୍ଡ ପକ୍ଷରୁ ବେଆଇନ ଭାବେ ବିକ୍ରି ପାଇଁ ରଖାଯାଇଥିବା ଏକ ଜୀବନ୍ତ ବଜ୍ରକାପ୍ତା ଧରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲୀପ ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ଦ୍ଵାରା ଏସପିଙ୍କ କାର୍ଯ୍ୟାଳୟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଗାଁ ପାଖରେ ଥିବା ଜଙ୍ଗଲରେ ବିଳମ୍ବିତ ରାତିରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ମିଳିଥିଲା। ଖବରପାଇ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ସ୍ପେସାଲ ସ୍କ୍ବାର୍ଡ ପୋଲିସ ଫୋର୍ସ ଗ୍ରାହକ ବେଶରେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତା କିଣିବା ପାଇଁ ମୂଲଚାଲ କରିଥିଲେ । ପୋଲିସ ଟିମ ସେଠାରେ ପହଞ୍ଚିବା ପରେ ଜୀବନ୍ତ ବଜ୍ରକାପ୍ତା ଦେଖାଇବା ପାଇଁ କହିଥିଲେ । ପରେ ବିକ୍ରେତା ଦିଲୀପ ନାଏକ ରାଇରଙ୍ଗପୁର ଜଙ୍ଗଲ ଅଞ୍ଚଳକୁ ନେଇଥିଲେ ଏବଂ ବିକ୍ରି ପାଇଁ 15 ଲକ୍ଷ ଟଙ୍କା ମାଗିଥିଲେ।ପରେ ଅଭିଯୁକ୍ତ ଦିଲୀପ ବଜ୍ରକାପ୍ତାକୁ ନୀଳ ରଙ୍ଗର ବୁଲେଟ୍ ମଟରସାଇକେଲରେ ଥିବା ଏକ ବ୍ୟାଗରେ ଠିଆନାଳ ଜଙ୍ଗଲରେ ରଖିଥିବା ଅବସ୍ଥାରେ ମିଳିଥିଲା । ଯାଞ୍ଚ ବେଳେ ଅଭିଯୁକ୍ତର ପରିଚୟ ମୟୁରଭଞ୍ଜର ଜଶିପୁର ଥାନା ଅନ୍ତର୍ଗତ ବଡଶୋଲ ଗାଆଁର ଦିଲୀପ ନାୟକ ବୋଲି ଜଣାପଡିଛି। ଦିଲ୍ଲୀପ ନାଏକଙ୍କ ପାଖରୁ ଜବତ ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ସାତ କିଲୋ ଚାରିଶହ ଗ୍ରାମ ବୋଲି ଜଣାପଡିଛି । ଏହି ଘଟଣା ପରେ ପୋଲିସ ପକ୍ଷରୁ ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତା ଓ ଗିରଫ ଅଭିଯୁକ୍ତ ଦିଲୀପକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।