ଦୋକାନ ଗୃହ ବଂଟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ

Mar 1, 2019 - 18:18
 200
ବାରିପଦା, ୨୮/୨(ସକାଳଖବର): ବାରିପଦା ପୌରପରିଷଦର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ଆଜି ଧର୍ମଗୋଳା ମାଧ୍ୟମରେ ବଂଟନ କରାଯାଇଛି । ଫଳରେ ଏଥିରେ ରହିଥିବା ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ପ୍ରକୃତ ଯୋଗ୍ୟ ଓ ଗରୀବ ହିତାଧିକାରୀମାନେ ଏଥିରୁ ବାଦ ପଡ଼ିଥିବା ବେଳେ ସହରର କୋଟିପତି ଧନୀ ବର୍ଗକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଯାହାକୁ ନେଇ ପୌରପରିଷଦରେ ଦେଖାଦେଇଛି ଜନଅସନ୍ତୋଷ । ତେବେ ଦୋକାନ ଗୃହ ବଂଟନ ବ୍ୟବସ୍ଥାରେ କୌଣସି ପକ୍ଷପାତିତା ଅଥବା ଅନିୟମିତତା କରାଯାଇ ନାହିଁ ଏବଂ ଶତପ୍ରତିଶତ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ଯାହା ହୋଇଛି ଆଇନ ଅନୁଯାୟୀ ହୋଇଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କୃଷ୍ଣଚନ୍ଦ୍ର ଗୋଲେଇର ରାସ୍ତା ପାଶ୍ୱର୍ରେ ପୌରପରିଷଦ ପକ୍ଷରୁ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୋକାନଗୃହ ଲାଇସେନ୍ସ ନେଇ ଦୋକାନ କରି ପରିବାର ଚଳାଉଥିବା ବ୍ୟକ୍ତିମାନଙ୍କୁ ପୌରପରିଷଦ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ୨୦୧୩-୧୪ ଓ ୨୦୧୭-୧୮ରେ ଉଚ୍ଛେଦ କରାଯାଇଥିଲା । ଏମାନଙ୍କୁ ପୌରପରିଷଦ ସ୍ଥାୟୀ ଦୋକାନଗୃହ ନିର୍ମାଣ କରି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବାର କୁହାଯାଇଥିଲା ଏବଂ ପୌରପରିଷଦ ଗୋଲେଇ ପାଶ୍ୱର୍ରେ ଏ ଓ ବି ବ୍ଲକ ନାମରେ ଦୁଇଟି ଦୁଇତଳ କୋଠା ନିର୍ମାଣ କରାଯାଇଥିଲା । ଏ ବ୍ଲକର ତଳ ମହଲାରେ ୧୨/୧୦ ଫୁଟର ୧୦ଟି ଏବଂ ଉପର ମହଲାରେ ୧୦ଟି କୋଠରୀ ଥିବା ବେଳେ ବି ବ୍ଲକର ତଳେ ୬ଟି ଏବଂ ଉପରେ ୮ଟି ଥିଲା । ଉପରେ ଏହି ଆଠଟି କୋଠରୀ ମଧ୍ୟରୁ ଉଭୟ ପାଶ୍ୱର୍ରେ ୮/୧୨ ଫୁଟ ସାଇଜରେ ଦୁଇଟି କୋଠରୀ ଥିଲା । ଉକ୍ତ ଦୋକାନଗୃହ ବଂଟନ କରାଯିବା ନିମନ୍ତେ ପୌରପରିଷଦ ପକ୍ଷରୁ ଆବେଦନ ଫର୍ମ ପକାଇବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବରୁ ଉଚ୍ଛେଦ କରାଯାଇଥିବା ଦୋକାନୀ ସହ ସାଧାରଣ ବର୍ଗର ମୋଟ ୩୦୨ ଜଣ ଆବେଦନକାରୀ ଫର୍ମ ପକାଇବା ସଂଗେ ସଂଗେ ଆବେଦନରେ ଥିବା ସର୍ତାବଳୀ ଅନୁସାରେ ୧୨/୧୦ ନିମନ୍ତେ ୬୦ ଓ ୧୨/୮ ନିମନ୍ତେ ୫୦ ହଜାର ଟଙ୍କାର ସିକୁ୍ୟରିଟି ମନି ଡ୍ରାଫ୍ଟ ଆକାରରେ ଜମା କରିଥିଲେ । ପୌରପରିଷଦ ପକ୍ଷରୁ କାଉନସିଲର ପ୍ରଭାତ ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସରୋଜ ମହାପାତ୍ର, ପ୍ରଶାନ୍ତ ପଟ୍ଟନାୟକ ଓ ଶ୍ରାବଣୀ ଦାସଙ୍କ ସହ ପୌରପରିଷଦର ମୁଖ୍ୟ କିରାଣୀ ନୀଳକଣ୍ଠ ଦାସ, ବରିଷ୍ଠ କିରାଣୀ ରୂପକ କୁମାର ଦାସ, ପୂର୍ତ ବିଭାଗ ସହାୟକ ଦିଲ୍ଲୀପ କୁମାର ସିଂ ଓ ସହକାରୀ ତି ଦାରୋଗା ରାମଚନ୍ଦ୍ର ନାଏକଙ୍କୁ ନେଇ ଏକ ଯାଂଚ୍ କମିଟି ଗଠନ କରାଯାଇ ଆବେଦନ ଫର୍ମଗୁଡ଼ିକୁ ଯାଂଚ୍ କରାଯିବା ପରେ ମୋଟ ୧୬୬ ଆବେଦନ ଫର୍ମ ଯୋଗ୍ୟ ବିବେଚିତ ହୋଇଥିଲା । ଏମାନଙ୍କ ମଧ୍ୟରେ ୧୨/୮ ଫୁଟ ଦୋକାନ ଗୃହ ନିମନ୍ତେ ୧୮ ଜଣ ଆବେଦନକାରୀ ରହିଥିବା ସମୟରେ ପୂର୍ବରୁ ଦୋକାନ ଗୃହକୁ ଉଚ୍ଛେଦ କରାଯାଇଥିବା ୧୮ ଜଣ ଆବେଦନକାରୀ ରହିଥିଲେ ।