ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକଣ ପାଇଁ ଆରମ୍ଭ ହେଲା ଦମନ ଅଭିଯାନ

Apr 26, 2018 - 08:02
 195
ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକଣ ପାଇଁ ଆରମ୍ଭ ହେଲା ଦମନ ଅଭିଯାନ
କଟକ,୨୫ା୪: ବିଶ୍ୱ ମ୍ୟାଲେରିଆ ଦିବସ-୨୦୧୮ଅବସରରେ କଟକଜିଲ୍ଲା ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ଏକ କର୍ମଶାଳା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ଉଦ୍ଘାଟନ କରି ଜିଲ୍ଲାରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗକୁ ହଟାଇବା ପାଇଁ ସମସ୍ତଙ୍କ ସଚେତନତା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବିଶେଷ କରି ପରିବେଶ ପରିଚ୍ଛନ୍ନ ନରହିଲେ ମଶା ବଂଶ ବୃଦ୍ଧି ପାଇବ ଏବଂ ମ୍ୟାଲେରିଆ ସହିତ ଡେଙ୍ଗୁ, ଫାଲେରିଆ ଭଳି ବହୁ ମଶାବାହିତ ରୋଗ ଆଶଙ୍କା ରହିଛି । ତେବେ ଏସବୁ ପାଇଁ ଜନସାଧାରଣ କେବଳ ବିଭାଗୀୟ ଅଧିକାରୀଙ୍କ ଉପରେ ଦାୟିତ୍ୱ ଛାଡ଼ିଦେଇ ବସିଗଲେ ଚଳିବ ନାହିଁ । ନିଜେ ଓ ପରିବାରରେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ମ୍ୟାଲେରିଆ ତଥା ଏହି ଭଳି ଅନେକ ପ୍ରାଣଘାତୀ ରୋଗକୁ ଦମନ କରିହେବ ବୋଲି ସେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱକଲ୍ୟାଣ ପଟ୍ଟନାୟକ ଯୋଗଦେଇ ବିଶ୍ୱ ମ୍ୟାଲେରିଆ ଦିବସ ପାଳନର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଘରର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ପାଣି ଜମିବାକୁ ନଦେବା, ଆବଶ୍ୟକ ସ୍ଥଳେ ମଶାମାରିବା ତଥା ମଶା ଜନ୍ମହେଉଥିବା ସ୍ଥାନକୁ ନଷ୍ଟ କରିବା ଆବଶ୍ୟକ । ବିଶ୍ୱରୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହଟାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ପ୍ରୟୋଜନତା ରହିଛି ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । କଟକ ଜିଲ୍ଲାରେ ୧୪ଟି ବ୍ଲକ ମଧ୍ୟରୁ ନିର୍ଦ୍ଧିଷ୍ଟ ୫ଟି ବ୍ଲକରେ ମ୍ୟାଲେରିଆ ବହୁଳ ଥିବା ଜଣାପଡ଼ିଛି । ଜିଲ୍ଲାର ମାଣିଆବନ୍ଧ, କାନପୁର, ବ୍ରହ୍ମପୁର, ଟାଙ୍ଗୀ ଓ ଡମପଡ଼ା ଅଞ୍ଚଳରେ ଏହି ରୋଗ ଅଧିକମାତ୍ରାରେ ବ୍ୟାପୁଛି । ତେବେ ବିଗତ ବର୍ଷମାନଙ୍କ ଅପେକ୍ଷା ଧିରେ ଧିରେ ମ୍ୟାଲେରିଆ ବ୍ୟାପିବା ହ୍ରାସ ପାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ । ୨୦୧୦ ମସିହାରେ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟ ୧୧୪୬ଥିବାବେଳେ ୨୦୧୭ ମସିହାରେ ମାତ୍ର ୭୭୨ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଜିଲ୍ଳାରେ ପିଏଫକେଶ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ପୂର୍ବରୁ ୨୭୪ ଥିବାବେଳେ ଏବେ ତାହା ୬୧୦କୁ ପହଞ୍ଚôଛି । ଜିଲ୍ଲାରୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ଦୂର କରିବା ପାଇଁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ବିଭାଗ ପକ୍ଷରୁ ‘ଦମନ’ ନାମକ ଏକ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଜିଲ୍ଲାର ୫ଟି ମ୍ୟାଲେରିଆ ପ୍ରବଣ ଅଞ୍ଚଳରୁ ୨୦ଟି ଗ୍ରାମକୁ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇ ସମସ୍ତ ଜନସାଧାରଣଙ୍କ ରକ୍ତନମୂନା ସଂଗ୍ରହ କରାଯିବା ସହ ଶିଶୁମାନଙ୍କ ଆନିମିଆ ପରୀକ୍ଷା ସହ ଗର୍ଭବତୀ ମହିଳାଙ୍କ ହିମୋଗ୍ଲୋବିନ ମଧ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବଟକୃଷ୍ଣ ମହଲା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ଡାକ୍ତର ତୃପ୍ତିରାଣୀ ନାୟକ ଧନ୍ୟବାଦ ଦେଇଥିଲେ ।