ନୂଆ ରାଇଗୁଡ଼ାବାସୀଙ୍କ ଚେତାବନୀ

Sep 26, 2018 - 16:48
 180
ଅନୁଗୋଳ ୨୬/୯ (ସକାଳଖବର): ସାତକୋଶିଆରେ ବାଘବଂଶ ବୃଦ୍ଧି ପାଇଁ ରାଇଗୁଡ଼ା ଗ୍ରାମବାସୀଙ୍କୁ ବର୍ଷକ ତଳେ ବିସ୍ଥାପିତ କରାଯାଇଥିଲା । ଅନୁଗୋଳ ବ୍ଲକ ବଡ଼କନ୍ତକୂଳ ପଞ୍ଚାୟତର ସାରୁଆଳି ଗ୍ରାମ ନିକଟରେ ଥିବା ନୂଆରାଇଗୁଡ଼ାରେ ୭୯ଟି ପରିବାରକୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯିବା ସହ ବିଜୁ ପକ୍କାଘର ଓ ନଗଦ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା । କ୍ଷତିପୂରଣ ରାଶିରୁ ସାତ ଲକ୍ଷ ଜିଲାପାଳଙ୍କ ସହବନ୍ଧିତାରେ ବ୍ୟାଙ୍କରେ ସ୍ଥାୟୀ ଜମା କରାଯାଇଛି । ହାତପାଣ୍ଠି ସ୍ୱରୂପ ଦିଆଯାଇଥିବା ୩ ଲକ୍ଷ ଟଙ୍କାକୁ ଗ୍ରାମବାସୀ ଖର୍ଚ୍ଚ କରିସାରିଲେଣି । ପ୍ରତି ପରିବାରକୁ ମିଳିଥିବା ବିଜୁ ପକ୍କାଘର ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ନିଅଣ୍ଟ ହେବାରୁ ସେମାନେ ଜିଲାପାଳଙ୍କୁ ଭେଟି ସ୍ଥାୟୀ ଜମାଟଙ୍କା ଦେବାକୁ ଦାବି କରିଥିଲେ । ତେବେ ଏପରି ଭାବେ ସେମାନେ ସ୍ଥାୟୀ ଜମା ଟଙ୍କା ପାଇଁ ଜିଦ୍ କରୁଥିବାବେଳେ ଆଜି ଏନେଇ ଗ୍ରାମରେ ସଭା କରିଛନ୍ତି । ତାଙ୍କ ଦାବି ପୂରଣ ନହେଲେ ସେମାନେ ଆସନ୍ତାକାଲଇ ପୁରୁଣା ରାଇଗୁଡ଼ାକୁ ଫେରିଯିବେ ବୋଲି ଚେତାବନୀ ଦେଇଛନ୍ତି । ସଭାରେ ଗ୍ରାମ ସଭାପତି ଦିବ୍ୟସିଂହ ଦେହୁରୀ, ୱାଡର଼୍ ସଭ୍ୟା ରାଧା ମୁଖୀ, ସୁଜନା ପ୍ରଧାନ, ନନ୍ଦ ପ୍ରଧାନ, ବିନୋଦ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ । ସେପଟେ ବାଘୁଣୀକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଥିବା ବେଳେ ନୂଆ ରାଇଗୁଡ଼ାବାସୀଙ୍କ ନିଷ୍ପତ୍ତି ନୂତନ ସମସ୍ୟା ସୃଷ୍ଟି କରିବ ।