ତେଜିଲାଣି ତାତି: ୧୬ବର୍ଷରେ ଅଂଶୁଘାତଜନିତ ଆଖି ବୁଜିଲେଣି ୧୦୩
କଟକ,୨୬/୪: ଆଜହୁଁ ପାରଦ ଉପର ମୁହାଁ ହେଲାଣି । ବଢିଲାଣି ଗ୍ରୀଷ୍ମର ପ୍ରକୋପ । ଦିନ ୧୧ଟା ସମୟରୁ ଗରମ ଅନୁଭୂତ ହେଉଛି । ପଦାକୁ ଗୋଡ କାଢିବା ପୂର୍ବରୁ କିଛି ସମୟ ଭାବିବା ପାଇଁ ପଡୁଛି । ପଦାକୁ ବାହାରିଲେ ମୁହଁ ଠାରୁ ଦେହ ଜଳୁଛି । କିନ୍ତୁ ଅପରାହ୍ଣଠାରୁ ସାମାନ୍ୟ ଆଶ୍ୱସ୍ତି ଲାଗୁଛି । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଅସହ୍ୟ ଗରମରେ ଜୀବନଯାତ୍ରା ଏକରକମ ଠପ ହୋଇଯାଇଥିବାବେଳେ ଅଂଶୁଘାତ ମୁକାବିଲା ପାଇଁ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନାହି । ଫଳରେ ଲୋକମାନେ ପଦାକୁ ବାହାରି ଦୁର୍ଲ୍ଲଭ ଜୀବନ ହାରିବା ପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ପ୍ରତ୍ୟେକ ବର୍ଷ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବୈଠକ ବସୁଛି । ନିଆଯାଉଛି ଅନେକ ପଦକ୍ଷେପ । ମାତ୍ର ନିଷ୍ପତି କିଛି କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଅଂଶୁଘାତ ମୃତୁ୍ୟ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଏବେଠାରୁ ଯେପରି ଗରମ ବଢିଲାଣି । ଶ୍ରମିକମାନଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଯାଇଛି । ତଥାପି ସେମାନଙ୍କୁ ଅସହ୍ୟ ଗରମରେ କାମ କରିବା ପାଇଁ ପଡୁଛି । ତାପମାତ୍ରାକୁ ଦେଖିଲେ ଜଣାଯାଉଛି ଯେ ଏଥର ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ୨୦୦୯ ମସିହା ରେକଡର଼୍କୁ ଭାଙ୍ଗିବାର ସମ୍ଭାବନା ରହିଛି ବୋଲି ସାଧାରଣ ଲୋକମାନେ ଆଜହୁଁ ଅନୁମାନ କଲେଣି । ପ୍ରତ୍ୟେକ ବର୍ଷ ଅଂଶୁଘାତରେ ଅନେକ ଜୀବନ ଯାଉଛି । ପ୍ରଶାସନ ଏହାର ମୁକାବିଲା କରିବାରେ ଅସମର୍ଥ ହୋଇଥିବାବେଳେ କଟକଣାକୁ କେହି ମାନୁନାହାଁନ୍ତି । ଗତ ୧୬ବର୍ଷ ମଧ୍ୟରେ ଜିଲ୍ଲାରେ ୧୦୩ଜଣଙ୍କର ମୃତୁ୍ୟ ଘଟିଥିଲେ ହେଁ ସଚେତନତା ସୃଷ୍ଟି ପାଇଁ କେବଳ ବିଜ୍ଞାପନ ଦେଇ ପ୍ରଶାସନ ଚୁପଚାପ ବସିଯାଉଛି । ତେବେ ୨୦୦୨ ମସିହାରେ ଅଂଶୁଘାତରେ ୩ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ୨୦୦୩ରେ ୫ଜଣ, ୨୦୦୪ମସିହାରେ ୫ଜଣ, ୨୦୦୫ ମସିହାରେ ୯ଜଣ, ୨୦୦୬ ମସିହାରେ ୫ଜଣ, ୨୦୦୭ମସିହାରେ ୧୬ଜଣ, ୨୦୦୮ମସିହାରେ ୧୧ଜଣ, ୨୦୦୯ମସିହାରେ ୨୧ଜଣ, ୨୦୧୦ମସିହାରେ ଜଣେ, ୨୦୧୧ରେ କୌଣସି ଲୋକ ପ୍ରାଣ ହରାଇନଥିବାବେଳେ ୨୦୧୨ମସିହାରେ ୮ଜଣଙ୍କର ମୃତୁ୍ୟ ଘଟିଥିଲା । ସେହିପରି ୨୦୧୩ରେ ଜଣେ ଓ ୨୦୧୪ରେ ୧୧ ଜଣ ଓ ୨୦୧୫ରେ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ୨୦୧୬ରେ ୫ଜଣ ଓ ୨୦୧୭ରେ ଜଣେ ପ୍ରାଣ ହରାଇଛନ୍ତି । ତେବେ ଆଜିହୁଁ ସହରରେ ତାପମାତ୍ରା ୩୭ଂ ଛୁଇଁଲାଣି । ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ର ଅନୁଯାୟୀ ଏଥର ଖରାର ପ୍ରକୋପ ଅଧିକ ମାତ୍ରାରେ ରହିବ । ମାର୍ଚ୍ଚ ଠାରୁ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି । ଚଳିତ ବର୍ଷ ଗ୍ରୀଷ୍ମ ଦାଉ ବଢୁଥିବାରୁ ଲୋକମାନେ ସଚେତନ ହେବା ଆବଶ୍ୟକ । ତେବେ ସାବଧାନ ହେଲେ ଅଂଶୁଘାତରୁ ମୁକୁଳିପାରିବେ । ଚଳିତ ବର୍ଷ ଗ୍ରୀଷ୍ମ ଦାଉ ବଢୁଥିବାରୁ ଲୋକମାନେ ସଚେତନ ହେଲେ ଜୀବନ ରକ୍ଷା ପାଇଯିବ ।