ଦିଲ୍ଲୀ ଏମ୍ସ ଗଲେ ଜୟନାରାୟଣ

May 5, 2018 - 19:49
 150
ଦିଲ୍ଲୀ ଏମ୍ସ ଗଲେ ଜୟନାରାୟଣ
କଟକ,୫ା୫/(ସକାଳଖବର): ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ରେ ଚିକିତ୍ସିତ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଆଜି ଦିଲ୍ଲୀ ଏମ୍ସ ପଠାଯାଇଛି । କଡା ପୋଲିସ ସୁରକ୍ଷା ମଧ୍ୟରେ ଟ୍ରେନଯୋଗେ ତାଙ୍କୁ ଦିଲ୍ଲୀ ନିଆଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କିଡ୍ନୀ ସମସ୍ୟା ସହ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଶ୍ରୀ ମିଶ୍ରଙ୍କୁ ଉନ୍ନତମାନର ଚିକିତ୍ସାପାଇଁ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବଡ ମେଡିକାଲରେ ଏକ ୫ଜଣିଆ ଡାକ୍ତରୀ ଦଳ ଶ୍ରୀ ମିଶ୍ରଙ୍କ ଚିକିତ୍ସାପାଇଁ ଏମ୍ସ ସ୍ଥାନାନ୍ତର କରାଯିବାକୁ ଅଧୀକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରିଥଲେ । ଏଠାରେ ସୂଚନା ଥାଉକି, ବିଜେପୁର ଉପ ନିର୍ବାଚନବେଳେ ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ତାଙ୍କ ସହଯୋଗୀ ମାଗି ସାହୁଙ୍କ ହତ୍ୟା ମାମଲାରେ ଶ୍ରୀ ମିଶ୍ର ଏବେ ବିଚାରାଧୀନ ବନ୍ଦୀ ଅଛନ୍ତି । ଗତ ମାର୍ଚ୍ଚ ୧୫ରେ ତାଙ୍କୁ ଗିରଫ କରାଯାଇ ସୋହେଲା ଜେଲରେ ରଖାଯାଇଥିଲା । କିନ୍ତୁ ଗତ ୨୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଉନ୍ନତମାନର ଚିକିତ୍ସାପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେ ଇଏନଟି ବିଭାଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ଚିକିତ୍ସାପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ଚେୟାରମ୍ୟାନ ନେଫ୍ରୋଲୋଜି ବିଭାଗର ମୁଖ୍ୟ ରହିଥିବାବେଳେ ଆବାହକ ରହିଥିଲେ ଉକ୍ତ ବିଭାଗର ପ୍ରଫେସର ଚିତ୍ତରଞ୍ଜନ କର । ଅନ୍ୟମାନଙ୍କ ମଧ୍ୟରେ କାର୍ଡିଓଲୋଜି ବିଭାଗ, ସର୍ଜରୀ ଅଙ୍କୋଲୋଜି ଓ ଏଣ୍ଡୋକ୍ରିନୋଲୋଜି ବିଭାଗର ମୁଖ୍ୟମାନେ ସଦସ୍ୟ ରହଥିଲେ । ଏହି ପ୍ରଫେସରମାନେ ପ୍ରତିଦିନ ପୂର୍ବାହ୍ନ ୧୧ଟା ସମୟରେ ବିଧାୟକ ମିଶ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକରି ରିପୋର୍ଟ ଦାଖଲ କରିବାକୁ ବଡ ମେଡିକାଲର ଅଧୀକ୍ଷକ ନିଦେ୍ର୍ଧଶ ଦେଇଥିଲେ ।