ଦସ୍ତଖତ ପାଇଁ ୧୧ ହଜାର: ଲାଞ୍ଚୁଆ ଡାକ୍ତର ଗିରଫ

Jul 20, 2022 - 10:03
 66
ଦସ୍ତଖତ ପାଇଁ ୧୧ ହଜାର: ଲାଞ୍ଚୁଆ ଡାକ୍ତର ଗିରଫ
ଢେଙ୍କାନାଳ: ଡାକ୍ତର ବାବୁ ଦେଉଥିଲେ ଦାମିକିଆ ଦସ୍ତଖତ । ଗୋଟିଏ ମୃତ୍ୟୁ ପ୍ରମାଣପତ୍ର ଫର୍ମରେ ଦସ୍ତଖତ ପାଇଁ ନେଉଥିଲେ ୧୧ ହଜାର ଟଙ୍କା। ଗତକାଲି ଏପରି ଜଣେ ଡାକ୍ତରଙ୍କୁ ଧରି ତାଙ୍କଠାରୁ ୧୧ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି। ଏହି ଲାଞ୍ଚୁଆ ଡାକ୍ତର ଜଣକ ହେଲେ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ଉମାକାନ୍ତ ଖେଜୁରିଆ। ସୂଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ନନ୍ଦିନୀ ନାୟକ ଏକ LIC ବୀମା ପଲିସି କରିଥିଲେ। ନନ୍ଦିନୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷର ଝିଅ ବୀମା ଟଙ୍କା ପାଇଁ ଡେଥ କ୍ଲେମ କରିଥିଲେ। ଏଥିପାଇଁ ଡାକ୍ତର କ୍ଲେମ କେସ ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିବା ଆବଶ୍ୟକ ପଡ଼ିଥିଲା। ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁ ଏ ନେଇ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କ ସହଯୋଗ ଲୋଡ଼ିଥିଲେ। ହେଲେ ଏହି ଦସ୍ତଖତ ପାଇଁ ଡାକ୍ତର ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏ ସମ୍ପର୍କରେ ବୈକୁଣ୍ଠ ଭିଜିଲାନ୍ସକୁ ଜଣାଇଥିଲେ। ପରେ ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା। ଗତକାଲି ଡାକ୍ତରଜଣକ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି।