ଡରାଇଲାଣି ବର୍ଷା,ପ୍ରବଳରୁ ପ୍ରବଳତର ଢାଳିବ

Oct 2, 2022 - 06:48
 42
ଡରାଇଲାଣି ବର୍ଷା,ପ୍ରବଳରୁ ପ୍ରବଳତର ଢାଳିବ
ଭୁବନେଶ୍ୱର : ଏଥର ପାର୍ବଣକୁ ଘାରିଛି ବର୍ଷା ଡର । ଦୁର୍ଗାପୂଜା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି ସହିତ ଉତ୍ସବର ବାତାବରଣ ଆରମ୍ଭ ହୋଇଛି । ହେଲେ ଏ ଉତ୍ସବରେ ଭଟ୍ଟା ପକାଇବାକୁ ବର୍ଷା ଡରାଇଲାଣି । ପାଣିପାଗ ପୂର୍ବାନୁମାନ ଯାହା, ୨ ତାରିଖ (ସପ୍ତମୀ)ରୁ ୫ ତାରିଖ (ଦଶମୀ) ପର୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଅଧିକ ଢାଳିବ । ନବମୀରେ ସବୁଠୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ କହିଛି, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ରବିବାର ଠାରୁ ବର୍ଷା କ୍ରମଶଃ ବଢ଼ିବ । ରବିବାର ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୩ ତାରିଖ ରାଜ୍ୟରେ ବର୍ଷା ବଢ଼ିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ୭୦ରୁ ୧୧୦ ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ । ୪ ତାରିଖ ନବମୀ । ସେଦିନ ବର୍ଷା ଆହୁରି ବଢ଼ିବା ଆଶଙ୍କା ଅଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଢାଳିବ ବର୍ଷା । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୫ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ ।