UNSCରେ ଫଶିଲା ଋଷିଆ, ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ନିକଟରେ ୟୁକ୍ରେନ୍ ରଖିଲା ଏହି ଦାବି

Feb 27, 2022 - 16:27
 121
UNSCରେ ଫଶିଲା ଋଷିଆ, ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ନିକଟରେ ୟୁକ୍ରେନ୍ ରଖିଲା ଏହି ଦାବି
ନ୍ୟୁୟର୍କ ୨୭।୨: ୟୁକ୍ରେନ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଭୋଲୋଦିମୀର ଜେଲେଂସ୍କି ଜାତିସଂଘ ସୁରକ୍ଷା ପରିଷଦରୁ ଋଷିଆକୁ ବାହାର କରିଦିଆଯିବା ଦରକାର ବୋଲି କହିଛନ୍ତି। ଜେଲେସ୍କି ରବିବାର ଏକ ଭିଡିଓ ବାର୍ତ୍ତାରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଗଣ ସଂହାର ଦିଗରେ ଉଠାଯାଇଥିବା ଏକ ପଦକ୍ଷେପ ବୋଲି କହିଛନ୍ତି। ଏଣୁ ଯେହେତୁ ଋଷିଆ ଭୁଲ ରାସ୍ତାରେ ଚାଲିବାକୁ ଲାଗିଲାଣି ତେହେତୁ ତାକୁ ଜାତିସଂଘ ସୁରକ୍ଷା ପରିଷଦରୁ ବାହାରକୁ ରାସ୍ତା ଦେଖାଇ ଦିଆଯିବା ଦରକାର ବୋଲି କହିଛନ୍ତି। ଜାତି ସଂଘ ସୁରକ୍ଷା ପରିଷଦଙ୍କ ୫ ସଦସ୍ୟଙ୍କ ମଧ୍ୟରେ ଋଷିଆ ଅନ୍ୟତମ ଓ ପ୍ରମୁଖ। ଏଣୁ ମୁଖ୍ୟ ସଦସ୍ୟ ହୋଇଥିବାରୁ ଆଗତ ପ୍ରସ୍ତାବ ବିରୋଧରେ ଋଷିଆ ଭିଟୋ ପ୍ରୟୋଗ କରିପାରୁଛି। ଏଣୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଙ୍କ ଯୁଦ୍ଧ ଅପରାଧ ପ୍ରାଧିକରଣଙ୍କ ନିକଟରେ ଫେରାଦ ହୋଇଛି ୟୁକ୍ରେନ। ତୁରନ୍ତ ଯୁଦ୍ଧ ରୋକିବାକୁ ୟୁକ୍ରେନ କୋର୍ଟଙ୍କୁ ନିବେଦନ କରିଥିବା ବେଳେ ଦେଶର ସହରମାନଙ୍କ ଉପରେ ଋଷିଆ ଚଳାଇଥିବା ଦମନଲିଳାର ତୁରନ୍ତ ତଦନ୍ତ ଆରମ୍ଭ କରିବା ଲାଗି ଜେଲେଂସ୍କି ନିବେଦନରେ କହିଛନ୍ତି। ଋଷିଆର ଏପରି ଆକ୍ରମଣକୁ ଜେଲେଂସ୍କି ସରକାର ପ୍ରାୟୋଜିତ ଆତଙ୍କବାଦ କହିବାକୁ ମଧ୍ୟ ପଛାଇ ନାହାନ୍ତି। ଆଇସିଜେରେ ୟୁକ୍ରେନର ଆବେଦନ ଦାୟର ହୋଇସାରିଥିବା ଜେଲେଂସ୍କି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।