ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର

Mar 1, 2019 - 18:20
 130
ଭୁବନେଶ୍ୱର, ୨୮/୨(ସକାଳଖବର: ଦେଶର ସୁରକ୍ଷା ହେଉ ବା ବିକାଶ, ମୋଦୀ ସରକାର ସର୍ବଦା ପ୍ରତିଶ୍ରୁତିର ପାଳନ କରିଥାଏ । ଅଟଳଜୀଙ୍କ ଅବଦାନରେ ନିର୍ମିତ ହୋଇଥିବା ଚାରିଲେନ ବିଶିଷ୍ଟ ୫ ନମ୍ବର ଜାତୀୟ ରାଜପଥକୁ ୬ ଲେନ କରିବାର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଜନସାଧାରଣଙ୍କ ଯାତାୟତ ସୁବିଧାକୁ ବହୁଗୁଣିତ କରିବା ସହ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ସାଜିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ ୧୫ ଦିନ ମଧ୍ୟରେ ପାକିସ୍ତାନକୁ ଠିକଣା ଜବାବ ଦେଇଥିବା ଭାରତୀୟ ବାୟୁସେନାର ବୀରତ୍ୱକୁ ପ୍ରଂଶସା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ତିନୋଟି ପ୍ରମୁଖ ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ଏହି ତିନୋଟି ପ୍ରକଳ୍ପ ହେଉଛି - ପୁରୁଣା ୫ ନମ୍ବର ଏବଂ ବର୍ତମାନର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ- ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାସ୍ତାର ଛଅଲେନ୍ କାର୍ଯ୍ୟ ଏବଂ ଭୁବନେଶ୍ୱର ଚଣ୍ଡିଖୋଲ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଏବଂ ବଡଚଣାଠାରେ ଭୂତଳ ରାସ୍ତାର ନିର୍ମାଣ କାର୍ଯ୍ୟ । ମୋଟ ୧୧୯.୫ କିଲୋମିଟର ଦୀର୍ଘ ରାସ୍ତା ନିର୍ମାଣ ପାଇଁ ୨୦୬୭.୪୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଓମାବେଶରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଶିଖରପୁର, ବାଲିକୁଦା ଓ ବଡ଼ଚଣାଠାରେ ଭୂତଳ ରାସ୍ତା ତିଆରି କରିବା ପାଇଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ତାଙ୍କୁ ଭେଟି ଅନୁରୋଧ କରିଥିଲେ । ଏ ନେଇ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଥିଲେ । ଏହି ତିନି ପ୍ରକଳ୍ପକୁ ତାଙ୍କ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଥିବାରୁ ସେ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରକଳ୍ପଗୁଡ଼ିକ ଲାଗି ୪୬.୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ତିନୋଟି ଭୂତଳ ରାସ୍ତା ସ୍ଥାନୀୟ ଅଂଚଳରେ ଦୁର୍ଘଟଣାକୁ ରୋକିବା ସହ ଗମନାଗମନରେ ସହାୟକ ହେବ । ଏହି ସମାରୋହରେ ଜାତୀୟ ରାଜମାର୍ଗ ପ୍ରାଧିକରଣର ସିଜିଏମ୍ ଡକ୍ଟର ରାମପ୍ରସାଦ ପଣ୍ଡା ଏବଂ ଜିଏମ୍ ଆର.ଭେଙ୍କଟେଶ୍ୱରଲୁ ଉପସ୍ଥିତ ଥିଲେ ।