ରୁକୁରା ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Jul 25, 2018 - 18:56
 183
ରୁକୁରା ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର, ୨୫/୦୭ (ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବଣେଇଠାରେ ରୁକୁରା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ୫୮୦୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସେଚନ ହେଉଛି ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ରାଜ୍ୟର ଅଧିକ ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାପାଇଁ ୨୦୧୪ରେ ସେ ଯେଉଁ ଘୋଷଣା କରିଥିଲେ ତାହା ୨୦୧୯ ମାର୍ଚ୍ଚ ସୁଦ୍ଧା ପୂରଣ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଜଳସେଚନ ବଜେଟ୍ ମାତ୍ର ୮୫୦ କୋଟି ଟଙ୍କା ଥିବା ବେଳେ ଏବେ ତାହା ୧୦,୨୦୦ କୋଟି ଟଙ୍କାରେ ପହଂଚିପାରିଛି । ଆଗାମୀ ୫ ବର୍ଷରେ ରାଜ୍ୟ ସରକାର ଜଳସେଚନର ସୁବିଧା ପାଇଁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସୁନ୍ଦରଗଡ ଜିଲ୍ଲାର କୋଇଡା , ଗୁରୁଣ୍ଡିଆ ଓ ଲହୁଣୀପଡା ଖଣି ଅଂଚଳର ସବୁ ଗରିବ ଲୋକଙ୍କୁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଗାଇଦେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକ ଓ ଚାଷୀ ମାନଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି । କେନ୍ଦୁପତ୍ର ତୋଳାଳୀ ମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଚାଷୀର ରୋଜଗାର ଦୁଇଗୁଣ କରିବା ସହିତ ଚାଷୀ ଯେପରି ତାର ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।