ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Sep 12, 2019 - 17:57
 147
ନୂଆଦିଲ୍ଲୀ , ୧୨/୯(ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଂଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି) ମାନଙ୍କ ପାଇଁ ଏକ ପେନସନ ଯୋଜନା । ଏହି ଅବସରରେ ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତି ଦ୍ରୌପଦି ମୁର୍ମୁ, ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସ, ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ଶ୍ରମ ଓ ନିଯୁକ୍ତି (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଯୋଜନାର ଶୁଭାରମ୍ଭ ହେବା ଦ୍ୱାରା, ସମଗ୍ର ଦେଶରେ ଥିବା ୩.୫ ଲକ୍ଷ ସାଧାରଣ ସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜୀକରଣର ସୁବିଧା ଲାଭ କରିବେ । ଏଥିସହିତ ଙ୍ଗଙ୍ଗଙ୍ଗ.ଜ୍ଞବବଦ୍ଭୟଷବଦ୍ଭ.ସଦ୍ଭ/ଙ୍ଖଚ୍ଚବକ୍ଟ୍ରବକ୍ସସ ପୋର୍ଟାଲକୁ ଯାଇ ହିତାଧିକାରୀ ନିଜେ ନିଜର ନାମ ପଞ୍ଜୀକୃତ କରିପାରିବେ । ବ୍ୟବସାୟୀମାନେ ସେମାନଙ୍କ ନିକଟସ୍ଥ ସାଧାରଣ ସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ନିଜକୁ ପଞ୍ଜୀକୃତ କରିପାରିବେ । ପଞ୍ଜୀକରଣ ସମୟରେ ହିତାଧିକାରୀଙ୍କ ପାଇଁ କେବଳ ଏକ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତା/ଜନ-ଧନ ଆକାଉଂଟ ପାସବୁକର ଆବଶ୍ୟକତା ରହିଛି । ହିତାଧିକାରୀ ୧୮-୪୦ ବର୍ଷ ବୟସ ବର୍ଗ ମଧ୍ୟରେ ହୋଇଥିବା ଆବଶ୍ୟକ । ୪୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟିଆଇଏନ ଆବଶ୍ୟକ । ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା । ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ସରକାର ଏହି ଜାତୀୟ ପେନସନ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା ହେଉଛି ୧୮ରୁ ୪୦ ବର୍ଷର ବ୍ୟବସାୟୀମାନଙ୍କ ପାଇଁ ଏକ ସ୍ୱେଚ୍ଛାମୂଳକ ଓ ଯୋଗଦାନ ମୂଳକ ପେନସନ ଯୋଜନା ଯାହା ମାଧ୍ୟମରେ କି ୬୦ ବର୍ଷରେ ପହଂଚିବା ପରେ ଅତିକମରେ ମାସିକ ୩,୦୦୦ ଟଙ୍କା ପେନସନ ମିଳିବା ନିଶ୍ଚିତ । ହିତାଧିକାରୀ ଜଣେ ଆୟକର ଦାତା ହୋଇନଥିବେ ଏବଂ ଇପିଏଫଓ/ଇଏସଆଇସି/ଏନପିଏସ (ସରକାରୀ)/ପିଏମ-ଏସୱାଇଏମର ସଦସ୍ୟ ହୋଇନଥିବେ । କେନ୍ଦ୍ର ସରକାର ମାସିକ ଯୋଗଦାନ ରାଶିର ୫୦ ପ୍ରତିଶତ ପ୍ରଦାନ କରିବେ ଓ ବାକି ୫୦ ପ୍ରତିଶତ ହିତାଧିକାରୀ ପ୍ରଦାନ କରିବେ । ଯୋଗଦାନକୁ ସହଜ କରିବା ପାଇଁ ମାସିକ ଯୋଗଦାନକୁ କମ ରଖାଯାଇଛି । ଉଦାହରଣ ସ୍ୱରୂପ ୨୯ ବର୍ଷର ମଧ୍ୟମ ପ୍ରବେଶ ଲାଗି ହିତାଧିକାରୀଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡିବ । ଦ୍ୱିତୀୟ କାର୍ଯ୍ୟକାଳରେ ଏହି ପେନସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ପ୍ରମୁଖ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମନ୍ତ୍ରଣାଳୟର ୧୦୦ ଦିନର ଯୋଜନା ଅନୁଯାୟୀ ୨୦୧୯-୨୦ରେ ଏହି ଯୋଜନାରେ ୨୫ ଲକ୍ଷ ଏବଂ ୨୦୨୩-୨୦୨୪ରେ ୨ କୋଟି ଗ୍ରାହକଙ୍କୁ ପଞ୍ଜୀକୃତ କରାଯିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ପେନସନ ଯୋଜନା ଅଧୀନରେ ଦେଶର ଆନୁମାନିକ ୩ କୋଟି ବ୍ୟବସାୟୀ ଲାଭ ପାଇବେ ବୋଲି ଆଶା କରାଯାଉଛି ।