ଜଟଣୀ: ବିଜେଡି ଓ ବିଜେପିରେ ଆଶାୟୀ ସଂଖ୍ୟା ଅଧିକ
ଜଟଣୀ, ୧୧/୩(ସକାଳଖବର): ୨୦୧୯ ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନୀ ବିଗୁଲ୍ ବାଜିଛି । ଦୀର୍ଘ ମାସ ପୂର୍ବରୁ ଜଟଣୀ ନିର୍ବାଚନ ମଣ୍ଡଳୀରେ ତିନୋଟି ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ଜଟଣୀର ଉନ୍ନୟନ ପାଇଁ ଅଂଟା ଭିଡୁଥିବା ଲୋକ ଲୋଚନକୁ ଆସୁଛି । କିନ୍ତୁ ପ୍ରକୃତରେ ରାଜନେତାଙ୍କୁ ବାଦ୍ ଦେଇ ଜଟଣୀର କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଜଟଣୀର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବହୁ ଉଦାହରଣ ରହିଛି । ତେବେ ଜଟଣୀକୁ ରାଜନୀତିର ପେଣ୍ଠସ୍ଥଳୀ କୁହାଯାଉଥିବା ବେଳେ ଏହାର ଭୌଗଳିକ ପରିସ୍ଥିତି ଅତି ଦୟନୀୟ । ଏ ସବୁର ସୁଧାର ପାଇଁ ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବ୍ୟତୀତ ବିଜେଡି ଓ ବିଜେପି ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଆଶାୟୀମାନଙ୍କ ମଧ୍ୟରେ ଦଳର ଟିକେଟ ହାତେଇବା ପାଇଁ ଆଶା ଓ ଆଶଙ୍କାରେ ରହିଛନ୍ତି ପ୍ରାର୍ଥୀମାନେ ।
ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ୧୯୭୪ ମସିହାରେ ଅଲଗା ହୋଇ ଜଟଣୀ ନିର୍ବାଚନ ମଣ୍ଡଳୀ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା । ଜଟଣୀ ବ୍ଲକର ୧୫ଟି, ଖୋର୍ଦ୍ଧା ବ୍ଲକ୍ ର ୭ଟି, ଭୁବନେଶ୍ୱର ବ୍ଲକ୍ ର ୯ଟି ଏବଂ ଜଟଣୀ ମୁ୍ୟନିସିପାଲିଟିର ୨୩ ୱାର୍ଡକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଛି । ୧୯୭୪ ମସିହା ଠାରୁ ୨୦୧୪ ମଧ୍ୟରେ ୧୦ ଥର ନିର୍ବାଚନ ହୋଇଥିଲେ ମଧ୍ୟ ଜଟଣୀର ବିକାଶ ପ୍ରତି କାହାରି ଆନ୍ତରିକତା ସେତେଟା ସୁଦୃଢ ନଥିବା ଅଭିଯୋଗ ହେଉଛି । ଦିନ ଥିଲା କଟକ ମାଲଗୋଦାମର ଦର ତାଲିକା ପରେ ଆକାଶବାଣୀରୁ ଶୁଣିବାକୁ ମିଳୁଥିଲା ଜଟଣୀ ବ୍ୟବସାୟର ଦର ତାଲିକା । କାହ୍ନୁ ଚରଣ ଲେଙ୍କା ରେଳ ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ୱାଗନ୍ ସେଡ୍ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ତାହାର ମଧ୍ୟ ଉନ୍ନୟନ ହେଲା ନାହିଁ । ଜଟଣୀ ସହରର ଦୁଃଖ କୁହାଯାଉଥିବା ରେଲୱେ ଅଣ୍ଡର ଗ୍ରାଉଣ୍ଡ୍ ଉପରେ ଓଭରବ୍ରିଜ୍ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା ବେଳେ ରାଜନୈତିକ ଓ ସ୍ଥାନୀୟ ସମସ୍ୟା ଯୋଗୁଁ ଅଟକି ରହିଲା । ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ ସମସ୍ୟା ରହିଛି । ଜଟଣୀର ୧୬ ରୁ ୧୮ଟି ରାଜସ୍ୱ ଗ୍ରାମର ଭିଟାମାଟି ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ନାମିତ ହୋଇଯାଇଥିବା ବେଳେ ରାଜନେତା ତଥା ସ୍ଥାନୀୟ ବିଧାୟକ ମଧ୍ୟ ଏଥିରେ ମୁହଁ ଖୋଲୁ ନାହାଁନ୍ତି । ଝୁମ୍ପୁଡି ବାସୀନ୍ଦାଙ୍କୁ ସ୍ଥାୟୀ ଗୃହ ମଧ୍ୟ ମିଳି ପାରିଲା ନାହିଁ । ଏହି ସବୁ ସମସ୍ୟା ଚଳିତ ୨୦୧୯ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଟଣୀବାସୀ କହିଛନ୍ତି । ତେଣୁ ଜଣେ ଦକ୍ଷ ଓ ନିସ୍ୱାର୍ଥପର ବ୍ୟକ୍ତିହିଁ ଏହିସବୁ ସମସ୍ୟା ସମାଧାନ କରିପାରିବେ ବୋଲି ଜଟଣୀବାସୀ ମନରେ ଆଶା ବାନ୍ଧିଛନ୍ତି ।
୧୯୭୪ ମସିହାରେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ସତ୍ୟପ୍ରିୟ ମହାନ୍ତି ଉକôଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ତାଙ୍କ ସମୟରେ ସୁନ୍ଦରପଦା-ଜଟଣୀ ରାସ୍ତାର ଭିତିପ୍ରସ୍ତର ପଡିଥିଲା । ୧୯୭୭ ମସିହାରୁ ୧୯୮୫ ପର୍ଯ୍ୟନ୍ତ ସୁରେଶ କୁମାର ରାଉତରାୟ ଲଗାତାର ଭାବେ ବିଜୟ ଲାଭ କଲେ । ହେଲେ ଯେଉଁ ଅନୁସାରେ ଏହି ସହରର ବିକାଶ ହେବା କଥା ତାହା ହେଲା ନାହିଁ । ପ୍ରଥମେ ଜନତା ପାଟିରୁ ଶ୍ରୀ ରାଉତରାୟ ପ୍ରାର୍ଥୀ ହୋଇଥିବା ବେଳେ ୧୯୮୦ ରେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ୧୯୯୦ ମସିହାରେ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ଏହାପରେ ପୁଣି ସୁରେଶ କୁମାର ରାଉତରାୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ । ଏହି ସମୟ ମଧ୍ୟରେ କେବଳ ଜଟଣୀରେ ଅଗ୍ନିଶମ କେନ୍ଦ୍ର ଓ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ୨୦୦୪ ମସିହା ନିର୍ବାଚନରେ ପୁନର୍ବାର ବିଜୁ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ବିଜୟ ଲାଭ କରିଥିଲେ । ସେ କେବଳ ସେହି ସମୟରେ ରାସ୍ତା ଘାଟର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପର ଫଳକ ଲଗାଇ କାର୍ଯ୍ୟକାଳ ସାରିଥିଲେ । ଏହାପରେ ୨୦୦୯ରେ ବିଭୁତି ଭୁଷଣ ବଳବନ୍ତରାୟ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ପରେ ଜଟଣୀ ନିର୍ବାଚନ ମଣ୍ଡଳୀକୁ ସ୍ୱତନ୍ତ୍ର ଆଧୁନିକ ଜଟଣୀର ସ୍ୱପ୍ନ ଦେଖାଇଥିଲେ । ତାହା ମଧ୍ୟ ସ୍ୱପ୍ନରେ ରହିଗଲା । ନବୀନ ବାବୁଙ୍କ ବିକାଶକୁ ଦେଖି ୨୦୧୪ ମସିହାରେ ବିଜେଡି ଦଳରୁ ଭାଗିରଥୀ ବଡଜେନାଙ୍କୁ ଜଟଣୀ ବାସିନ୍ଦା ବିଧାୟକ ଭାବରେ ବାଛିଥିଲେ ।