ଜଗନ୍ନାଥଙ୍କ ଜମି ହଡ଼ପ ପ୍ରତିବାଦରେ ହିନ୍ଦୁସେନାର ବିକ୍ଷୋଭ

May 10, 2018 - 13:52
 134
ଜଗନ୍ନାଥଙ୍କ ଜମି ହଡ଼ପ ପ୍ରତିବାଦରେ ହିନ୍ଦୁସେନାର ବିକ୍ଷୋଭ
କଟକ,୧୦ା୫ (ସକାଳଖବର): ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ହଡ଼ପ ହୋଇଥିବା ୬୦ହଜାର ଏକର ଜମିକୁ ଜଗନ୍ନାଥଙ୍କ ଟ୍ରଷ୍ଟବୋଡର଼୍କୁ ଫେରାଇ ଆଣିବା ଦାବିରେ ହିନ୍ଦୁସେନା ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମହାପ୍ରଭୁ ଜଗନ୍ନଥଙ୍କର ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଥିବା ଏହି ଜମିକୁ ବହୁ ବ୍ୟକ୍ତି ଜାଲିଆତି କରି ନିଜ ନାମରେ କରିନେଇଛନ୍ତି । ଏ ବାବଦରେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଜମିକୁ ହଡ଼ପକାରୀଙ୍କ କବଳରୁ ମୁକ୍ତ କରାଯାଇ ପୁନର୍ବାର ମହାପ୍ରଭୁଙ୍କ ଟ୍ରଷ୍ଟବୋଡର଼୍କୁ ଫେରାଇ ଆଣିବାକୁ ନିବେଦନ କରାଯାଇଥିଲେ ମଧ୍ୟ ଏ ଦିଗରେ ରାଜ୍ୟସରକାରଙ୍କ ଟିକେବି ଚିନ୍ତା ନକରିବା ଦୁର୍ଭାଗ୍ୟଜନକ ବୋଲି ହିନ୍ଦୁସେନାପକ୍ଷରୁ ଅଭିଯୋଗ ହେବା ସହ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ବହୁ ପ୍ରଭାବଶାଳୀ ବ୍ୟକ୍ତି ଏହି ଜମିକୁ ନିଜ କବଳରେ ରଖିଥିବାରୁ ରାଜ୍ୟସରକାର ସେମାନଙ୍କୁ ସୁରକ୍ଷା ଦେଉଥିବା ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଜଗନ୍ନାଥଙ୍କ ଜମିକୁ ତୁରନ୍ତ ଫେରାଇ ଆଣିବା ପାଇଁ ବିକ୍ଷୋଭକାରୀମାନେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଆରଡିସିଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେନାର ରାଜ୍ୟ ଆବାହକ ସଞ୍ଜିତ ସାମଲ, ରାଜ୍ୟ ସଭାପତି ଦେବାଶିଷ ରାଉତ, ଯୁବ ସଭାପତି ଆଶିଷ ଦାସ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ବହୁ କର୍ମୀ ଯୋଗଦେଇଥିଲେ ।