କଂଗ୍ରେସରେ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ- ଚିରଞ୍ଜିବୀ

May 10, 2018 - 14:01
 127
କଂଗ୍ରେସରେ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ- ଚିରଞ୍ଜିବୀ
କଟକ, ୧୦/୫(ସକାଳଖବର): କଂଗ୍ରେସରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯେଉଁ ନେତା ଦଳ ଭିତରେ ରହି ଦଳବିରୋଧୀ ଆଚରଣ କରିବେ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ । ଦୀର୍ଘ ଦିନ ଧରି ଦଳ ଭିତରେ ଅବିଶ୍ୱନୀୟତା, ବିଶୃଙ୍ଖଳା ଏବଂ ଗୋଡ଼ ଟଣାନୀତି ଯୋଗୁଁ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଘଟିଛି । ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରାଯିବା ସହ କର୍ମୀମାନଙ୍କୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ହେବ ବୋଲି କଟକରେ କଂଗ୍ରେସର ଆୟୋଜିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ପ୍ରକାଶ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଓ ଜୋରଯାର ମୁଲକତାର ରାଜନୀତି ଚାଲିଛି । ତେଣୁ ଏଭଳି ରାଜନୀତିର ଅବସାନ ପାଇଁ ଓଡ଼ିଶାବାସୀ ଚାହୁଁଥିଲେ ମଧ୍ୟ ବିକଳ୍ପର ଅଭାବ ହେତୁ ନବୀନ ସରକାର ବାରମ୍ବାର ଶାସନକୁ ଆସୁଛନ୍ତି । ଏବେ ରାଜ୍ୟବାସୀଙ୍କୁ ବିକଳ୍ପ ମଧ୍ୟ ମିଳିଗଲାଣି । ତେଣୁ ଆମକୁ ଲୋକଙ୍କ ପାଖକୁ କିପରି ପହଞ୍ଚିବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ବକ୍ତବ୍ୟରେ ବିଜେପୁର ନିର୍ବାଚନ ସମ୍ପର୍କରେ କହିବାକୁ ଯାଇ ଉକ୍ତ ନିର୍ବାଚନ କଂଗ୍ରେସର ସ୍ଥିତିକୁ ପଦାରେ ପକାଇଦେଲା ବୋଲି ଯେଉଁ କଥା କୁହାଯାଉଛି ଏଥି ପାଇଁ କଂଗ୍ରେସ ପ୍ରସ୍ତୁତ ନଥିଲା । ଶାସକ ଦଳର କଳାଟଙ୍କା ଓ ଦଳଭିତରେ ଗୋଡ଼ଟଣା ନୀତି ଯୋଗୁଁ ଏହା ବିଜେଡ଼ିକୁ ସୁହାଇଥିଲା । ପୂର୍ବରୁ ଦଳରେ ଏକତାର ଅଭାବ ଥିଲା । ଉପଯୁକ୍ତ ନେତୃତ୍ୱ ମଧ୍ୟ ମିଳିନଥିଲା । ତେଣୁ ସଂଗଠନ ଦୁର୍ବଳ ରହିଥିବାବେଳେ ଏବେ ଉପଯୁକ୍ତ ନେତୃତ୍ୱକୁ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମନୋନୀତ କରିଛନ୍ତି । କିନ୍ତୁ ଦଳରେ କେବଳ ଏକତା ରହିଲେ ହେବ ନାହିଁ ବିଶ୍ୱାସ ଘାତକତା ନୀତି ଯେପର୍ଯ୍ୟନ୍ତ ନେତା ଓ କର୍ମୀଙ୍କ ମଧ୍ୟରେ ନଦୂରେଇଛି ସେପର୍ଯ୍ୟନ୍ତ କଂଗ୍ରେସର ଉନ୍ନତି ଅସମ୍ଭବ । କଂଗ୍ରେସ ଦଳକୁ ଅଧିକ ସକ୍ରିୟ କ୍ରିୟାଶୀଳ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟକରିବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ଟିଭିରେ ମୁହଁଦେଖାଇ ଯେଉଁ ନେତା ତଥା କର୍ମୀ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ତାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ ।