ଋତୁସ୍ରାବ କପଡ଼ା ଟିକସମୁକ୍ତ, ରାଜ୍ୟର ‘ଖୁସି’ ଯୋଜନା ଲାଭାନ୍ୱିତ

Jul 21, 2018 - 18:12
 193
ଋତୁସ୍ରାବ କପଡ଼ା ଟିକସମୁକ୍ତ, ରାଜ୍ୟର ‘ଖୁସି’ ଯୋଜନା ଲାଭାନ୍ୱିତ
ନୂଆଦିଲ୍ଲୀ, ୨୧/୭ (ସକାଳଖବର): ଋତୁଶ୍ରାବ କପଡ଼ା, ରାକ୍ଷୀ, ମାର୍ବଲ- ପଥର - କାଠ ନିର୍ମିତ ଦେବାଦେବୀ, ଝାଡ଼ୁ ପ୍ରସ୍ତୁତି କଞ୍ଚାମାଲ, ମିଶ୍ରଯୁକ୍ତ ଦୁଗ୍ଧ, ଶାଳପତ୍ର ଓ ସ୍ମାରକୀ ମୁଦ୍ରାରୁ ଜିଏସ୍ଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଜିଏସ୍ଟି କାଉନସିଲର ୨୮ତମ ବୈଠକରେ ଉପରୋକ୍ତ ଦ୍ରବ୍ୟ ଉପରେ ଟିକସ ଛାଡ଼ କରାଯାଇଥିବାବେଳେ ଧୂଲେଇ ମେସିନ, ରେଫ୍ରିଜେରେଟର, ୬୮ ସେ.ମି ସ୍କ୍ରିନ ପର୍ଯ୍ୟନ୍ତ ଟିଭି, ଭିଡ଼ିଓ ଖେଳ, ଭାକ୍ୟୁମ ସଫେଇ ମେସିନ, ଟ୍ରେଲର, ମିକ୍ସର ଗ୍ରାଇଣ୍ଡର, କ୍ଷୌର ଉପକରଣ, ଜଳ ଶୀତଳୀକରଣ ଯନ୍ତ୍ର, ବିଦ୍ୟୁତଚାଳିତ ଆଇରନ, ରଙ୍ଗ କ୍ଷେତ୍ରରେ ଜିଏସଟି ୧୦% ହ୍ରାସ କରାଯାଇଛି । ପୂର୍ବରୁ ଏସମସ୍ତ ସାମଗ୍ରୀ ଉପରେ ୨୮% ଟିକସ ରହିଥିଲା । ସେହିପରି ଅନ୍ୟ କେତେକ ସୌଖିନ ସାମଗ୍ରୀ ଉପରୁ ଜିଏସ୍ଟି ୧୮% ରୁ ୧୨%କୁ ହ୍ରାସ କରାଯାଇଥିବାବେଳେ ଜୋତା ସମେତ ଅନ୍ୟ କିଛି ସାମଗ୍ରୀ ଉପରେ ଟିକସ ୫% କରାଯାଇଛି । ମୋଟ ୮୮ଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯାଇଛି । ତେବେ ହସ୍ତତନ୍ତ ଗାଲିଚା ପାଇଁ ଟିକସ ୫% ହୋଇଥିବାବେଳେ ହସ୍ତତନ୍ତର ଅନ୍ୟ ସାମଗ୍ରୀ ଉପରେ ଏହା ଲାଗୁ ହେବା କି ନାହିଁ ସେଥିନେଇ ସନେ୍ଦହ ଉପୁଜିଛି । ହସ୍ତତନ୍ତ ସାମଗ୍ରୀରେ ଟିକସ ଛାଡ଼ ପାଇଁ ଓଡ଼ିଶା ଦାବି କରିଆସୁଛି । ସେହିପରି ଶାଳପତ୍ରରୁ ଟିକସ ହ୍ରାସ ହୋଇଥିବାବେଳେ ଏହି ପତ୍ରଯୁକ୍ତ ସାମଗ୍ରୀ ଉପରେ ଟିକସ ହ୍ରାସ ନେଇ କୌଣସି ସଙ୍କେତ ମିଳିନାହିଁ ।