କଣ୍ଟାମାଳରେ ହାତୀ ଉପଦ୍ରବ

Sep 3, 2018 - 18:44
 313
କଣ୍ଟାମାଳରେ ହାତୀ ଉପଦ୍ରବ
ବୌଦ୍ଧ,୩/୯ (ସକାଳଖବର): ବୌଦ୍ଧ ଜିଲା କଂଟାମାଳ ବ୍ଳକର ଶ୍ରୀମାଲ ଗ୍ରାମରେ ଗତ ୪ ଦିନ ହେଲା ଜଙ୍ଗଲୀ ହାତୀଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । କଂଟାମାଳ ଅଂଚଳରେ ଅଟକିଛନ୍ତି ୧୨ଟି ଜଙ୍ଗଲୀ ହାତୀ । ଏହି ହାତୀମାନଙ୍କ ଆକ୍ରମଣରେ ଜଣକର ମୃତୁ୍ୟ ହୋଇଥିବା ବେଳେ ଶହଶହ ଏକର ଫସଲ ନଷ୍ଟ ହୋଇଛି । କଂଟାମାଳ ରେଞ୍ଜର ପୁଟପୁଟି ସଂରକ୍ଷିତ ଜଙ୍ଗଲରେ ଏହି ହାତୀମାନେ ରହୁଥିବାବେଳେ ସର୍ବଦା ସୋନପୁର ଜିଲ୍ଲା ଦେଇ କଳାହାଣ୍ଡି ଜିଲ୍ଲାକୁ ଯାତାୟାତ କରିଥାଆନ୍ତି । ଏବେ ତେଲନଦୀରେ ବନ୍ୟାଜଳର ପ୍ରଖର ସ୍ରୋତରେ ହାତୀମାନେ ନଦୀ ପାର ହୋଇନପାରି ଶ୍ରୀମାଲ ଗ୍ରାମ ନିକଟରେ ଅଟକି ରହିଛନ୍ତି । ହାତୀମାନେ ନଦୀ ପାର ହୋଇ ଆଗକୁ ଯାଉନଥିବା ବେଳେ ପୁଟପୁଟି ସଂରକ୍ଷିତ ଜଙ୍ଗଲକୁ ମଧ୍ୟ ପ୍ରତ୍ୟାବର୍ତନ କରୁନାହାନ୍ତି । ହାତୀଙ୍କ ହିଂସ୍ର ଆଚରଣ ଯୋଗୁ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି । ପ୍ରକାଶ ଥାଉ କି, ୨ ଦିନ ତଳେ କଲରାକୋଠା ଗ୍ରାମର କରୁଣା ରଣାଙ୍କ ହାତୀ ଆକ୍ରମଣ ଫଳରେ ମୃତୁ୍ୟ ଘଟିଛି । ହାତୀମାନେ ଯେ କେବଳ ମଣିଷ ଜୀବନ ନେଇଛନ୍ତି ତାହା ନୁହଁ ଗ୍ରାମ ଚାରିପାଶ୍ୱର୍ରେ ଥିବା ଶହଶହ ଏକର ଜମିର ଫସଲ ମାଡିମକଚି ନଷ୍ଟ କରିଦେଉଛନ୍ତି । ହାତୀମାନଙ୍କ ସୁରକ୍ଷା ପାଇଁ ସମଗ୍ର ଅଂଚଳରେ ବିଦୁ୍ୟତ ସରବାରହ ବନ୍ଦ କରିଦିଆଯାଇଛି । ଫଳରେ ୪ ଦିନ ହେଲା ୧୦/୧୨ଟି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରହିଛି । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତଥିଲେ ମଧ୍ୟ ହାତୀମାନଙ୍କୁ ଘଉଡାଇବାକୁ ବିଶେଷ ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସହଯୋଗ କରୁନଥିବାରୁ ହାତୀମାନଙ୍କୁ ଘଉଡାଇବା ସମ୍ଭବ ହେଉନାହି ବୋଲି ବନ ବିଭାଗ କର୍ମଚାରୀମାନେ କହୁଛନ୍ତି । ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ସରକାରୀ ନିୟମ ପ୍ରକାରେ ସହାୟତା ଯୋଗାଇ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୪ ଦିନ ହେଲା ଉଭୟ ମଣିଷ ଓ ହାତୀପଲ ବିପଦରେ ପଡିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଘଉଡାଇ ପାରୁନଥିବାରୁ ବନବିଭାଗ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।