ବିଧାନ ପରିଷଦକୁ ବିରୋଧ କରିବ କଂଗ୍ରେସ - ନରସିଂହ

Sep 3, 2018 - 18:43
 196
ବିଧାନ ପରିଷଦକୁ ବିରୋଧ କରିବ କଂଗ୍ରେସ  - ନରସିଂହ
ଭୁବନେଶ୍ୱର,୩/୯ (ସକାଳଖବର): ଓଡ଼ିଶା ବିଧାନସଭା ପରିଷଦ ଗଠନ ନେଇ ସରକାରଙ୍କ ପକ୍ଷରୁ ଅଣାଯାଉଥିବା ସଂକଳ୍ପକୁ ବିରୋଧ କରାଯିବ । ଏହା ବ୍ୟତୀତ ରାଜ୍ୟର ସ୍ୱାର୍ଥ ଜନିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ ଉଠାଇବା ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯାଇଛି । ସୋମବାର ସଂଧ୍ୟାରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ଉପରେ ସୂଚନା ଦେଇ ସେ କହିଲେ ଯେ, ରାଜ୍ୟର କୃଷି ଓ କୃଷକର ସମସ୍ୟା, ଆନେ୍ଦାଳନରତ ଶିକ୍ଷକ ଓ କର୍ମଚାରୀ ମାନଙ୍କର ସମସ୍ୟା, ଡାକ୍ତର ଅଭାବ, ପିଇବା ପାଣି ସମସ୍ୟା, ଦୁର୍ନୀତି ଚରମ ସୀମାରେ ପହଂଚିବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା, ଚାଷୀ ମାନଙ୍କୁ କୃଷି ବୀମା ନ ମିଳିବା, ଲୋକାୟୁକ୍ତ ସମସ୍ୟାକୁ ପ୍ରସଙ୍ଗ କରାଯାଇ ସରକାରଙ୍କୁ ଘେରିବେ । ଅଧିବେଶନର ୧୧ ଦିନିଆ ବୈଠକ ଯେପରି ସଠିକ୍ ଭାବେ ପରିଚାଳନା କରିବେ ସେ ଆଶା ପ୍ରକଟ କରିଛନ୍ତି । ଏହି ବୈଠକରେ ତିନି ଜଣ ବିଧାୟକ ନବ ଦାସ, କୈଳାସ କୁଲସିକା, କୃଷ୍ଣଚନ୍ଦ୍ର ସଗରିଆ ଅନୁପସ୍ଥିତ ଥିବା ବେଳେ ଭୁଜବଳ ମାଝୀ, ପ୍ରକାଶ ବେହେରା, ତାରା ପ୍ରସାଦ ବାହିନୀପତି, ଯୋଗେଶ ସିଂ, ଜ୍ୟାକବ୍ ପ୍ରଧାନ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଜେ. ସୂର୍ଯ୍ୟ ରାଓ, ଡ. ପ୍ରଫୁଲ୍ଲ ମାଝୀ ଓ ଚିରଞ୍ଜିବ ବିଶ୍ୱାଳ ଉପସ୍ଥିତ ଥିଲେ । ଏହା ବ୍ୟତୀତ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।