ବିଧାନସଭାରେ ତାରାଙ୍କ ବ୍ରାହ୍ମଣ ବେଶ, ଛିଞ୍ଚିଲେ ଗଙ୍ଗାଜଳ

Dec 4, 2021 - 08:09
 90
ବିଧାନସଭାରେ ତାରାଙ୍କ ବ୍ରାହ୍ମଣ ବେଶ, ଛିଞ୍ଚିଲେ ଗଙ୍ଗାଜଳ
ଭୁବନେଶ୍ୱର: ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରା‍କ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭା କୁଆଡେ ଅପବିତ୍ର ହୋଇଯାଇଛି । ସେଥିପାଇଁ ଗଙ୍ଗାଜଳ, ତୁଳସୀ ପତ୍ର ଓ ଗୋମୁତ୍ର ପକାଇ ବିଧାନସଭାକୁ ପବିତ୍ର କରିଛନ୍ତି ତାରା। ବହୁ ଚର୍ଚ୍ଚିତ ସନସାଇନ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ୪ର୍ଥ ଦିନରେ ବି ବିଧାନସଭା ଚାଲି ପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ଆଶ୍ୱାସନା ପରେ ମଧ୍ୟ ବିରୋଧୀ ନ ଛୋଡ଼ବନ୍ଧା । ମମିତା ହତ୍ୟା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ପାଇଁ ଅଡି ବସିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଗୃହ ଆରମ୍ଭରୁ ହିଁ ହାତରେ ,”ଗୋ ବ୍ୟାକ ମିନିଷ୍ଟର”ର ପ୍ଲାକାର୍ଡ ଧରି ପୋଡ଼ିୟମ ପାଖରେ ହୋ ହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କଠାରୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ଉପରକୁ ତାରା ବାହିନୀପତି ସିଞ୍ଚନ କରିଥିଲେ ଗଙ୍ଗାଜଳ । ଏପରିକି ଓଁ ଶାନ୍ତି , ଓଁ ଶାନ୍ତି ମନ୍ତ୍ର ପାଠ ମଧ୍ୟ କରିଥିଲେ । ଦଳରେ ସବୁ ଧର୍ମର ବିଧାୟକ ଥିବାରୁ ସର୍ବଧର୍ମ ପୂଜାପାଠ ହୋଇଥିଲା ବିଧାନସଭା ଗୃହରେ । କଥା ଏତିକିରେ ସରିନଥିଲା । ସରକାରଙ୍କ ଚୈତନ୍ୟକୁ ଉଦୟ କରିବା ପାଇଁ ବିଧାନସଭା ଭିତରେ ଘଣ୍ଟ ବାଡେଇ ବାଡେଇ ହଟଗୋଳ କରିଥିଲେ କଂଗ୍ରେସର ନବରତ୍ନ ବିଧାୟକ । ଯାହାକୁ ଦେଖି ବାଧ୍ୟ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏପରି ଅଭିନବ ପ୍ରତିବାଦ ଓ ବ୍ରାହ୍ମଣ ବେଶକୁ ନେଇ ତାରା କହିଛନ୍ତି ,“ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ସଂପୂର୍ଣ୍ଣ ଓତପ୍ରେତ ଭାବେ ଜଡିତ ଅଛନ୍ତି । ସେ ଗୃହ ବିଭାଗ ମନ୍ତ୍ରୀ ମଧ୍ୟ ଅଛନ୍ତି । ତାଙ୍କୁ ଗିରଫ କରାନଯାଇ,ତାଙ୍କୁ ବହିଷ୍କାର କରାନଯାଇ, ସେ ଗୃହରେ ଉପସ୍ଥିତ ଅଛନ୍ତି । ସେଥିପାଇଁ ଏହି ଅଭିନବ ରୂପ । ଏହା ସାଢେ ୪ କୋଟି ଲୋକଙ୍କ ବିଧାନସଭା ମନ୍ଦିର । ସେ ମନ୍ଦିର ଅପବିତ୍ର ହୋଇଯାଇଛି । ତାକୁ ପବିତ୍ର କରିବା ପାଇଁ, ସେଇଠି ତୁଳସୀ, ଗଙ୍ଗା ଜଳ ଓ ଗୋମୁତ୍ର ମିଶାଇ ପାଣି ସିଂଚନ କଲୁ । ସେଠାରେ ଓଁ ଶାନ୍ତି , ଓଁ ଶାନ୍ତି ସ୍ଲୋଗାନ ଦେଲୁ । ଆମେ ମୁଖ୍ୟମନ୍ତ୍ରୀଙ୍କୁ ବିନୀତ ଅନୁରୋଧ କରୁଛୁ , ତାଙ୍କର ଯଦି ସଦବୁଦ୍ଧି ଅଛି, ସେ ତୁରନ୍ତ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ।”