ଏସୀୟ କ୍ରୀଡା: କୁସ୍ତିରେ ଭାରତକୁ ୨ୟ ସ୍ବର୍ଣ୍ଣ ଦେଲେ ବିନେଶ ଫୋଗଟ୍‌

Aug 20, 2018 - 19:39
 222
ଏସୀୟ କ୍ରୀଡା: କୁସ୍ତିରେ ଭାରତକୁ ୨ୟ ସ୍ବର୍ଣ୍ଣ ଦେଲେ  ବିନେଶ ଫୋଗଟ୍‌
ଜାକର୍ତ୍ତା ୨୦/୮ : ଭାରତର ପ୍ରଥମ ମହିଳା ଭାବେ ଏସୀୟ କ୍ରୀଡ଼ାରେ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ବିନେଶ ଫୋଗାଟ୍‌। ହରିୟାଣାର ଏହି ଚମ୍ପିଆନ୍‍ ପହିଲମାନ ସୋମବାର ଚଳିତ ୧୮ଶ ଏସୀୟ କ୍ରୀଡ଼ାର ୨ୟ ଦିନରେ ତାଙ୍କ ଇଭେଣ୍ଟ ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୨ରେ ପହଞ୍ଚିଛି। ସୋମବାର ଫାଇନାଲରେ ବିନେଶ ଜାପାନର ୟୁକି ଇରିଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ; ଏହି ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ କୁସ୍ତିରୁ ହିଁ ମିଳିଥିଲା।। ବିନେଶ ଜିତିଥିବା ସ୍ୱର୍ଣ୍ଣପଦକ ମହିଳା କୁସ୍ତିରେ ଭାରତ ପାଇଁ ପ୍ରଥମ ହୋଇଥିବା ବେଳେ ଏସୀୟ କ୍ରୀଡ଼ା ଇତିହାସରେ ମହିଳା କୁସ୍ତିରେ ମୋଟ ୫ମ ପଦକ। ପୁଣି ସୋମବାର ସୁଟିଂରେ ଭାରତର ଦୀପକ କୁମାର ଓ ଲକ୍ଷ୍ୟ ସେଓରାଁ ରୌପ୍ୟପଦକ ଜିତିଛନ୍ତି । ଏଥି ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୫ଟି ପଦକ ହାସଲ କରିଛି।