ଏସସିବି ଭେଷଜ ବିଭାଗ: ରାତିରେ ରହୁନାହାନ୍ତି ଆଟେଣ୍ଡାଣ୍ଟ

Jun 10, 2018 - 13:38
 147
ଏସସିବି ଭେଷଜ ବିଭାଗ: ରାତିରେ ରହୁନାହାନ୍ତି ଆଟେଣ୍ଡାଣ୍ଟ
କଟକ, ୯ା୬/(ସକାଳଖବର): ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ) ଭେଷଜ ବିଭାଗରେ ରାତିବେଳା କୌଣସି ଆଟେଣ୍ଡାଣ୍ଟ ଡ୍ୟୁଟିରେ ରହୁନାହାନ୍ତି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ଏନେଇ ଆଜି ଭେଷଜ ବିଭାଗର ଜନୈକ ବରିଷ୍ଠ ଡାକ୍ତର ମେଡିକାଲ ଅଧୀକ୍ଷକ ପ୍ରଫେସର ପ୍ରସନ୍ନ କୁମାର ଦେବତାଙ୍କୁ ଅବଗତ କରିଛନ୍ତି । ସୂଚନା ଅନୁସାରେ, ମେଡିକାଲରେ ଆଟେଣ୍ଡାଣ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୁରୁତର ରୋଗୀଙ୍କ ନିମନ୍ତେ ଅମ୍ଳଜାନ ଦରକାର ପଡିଥାଏ । ଏହି ଅମ୍ଳଜାନ ଟାଙ୍କିକୁ ଆଟେଣ୍ଡାଣ୍ଟ ହିଁ ୱାର୍ଡର ରୋଗୀ ନିକଟକୁ ନେଇଆସିଥାନ୍ତି । ପୁନଶ୍ଚ ଗୋଦାମରୁ ସାଲାଇନ, ଇଞ୍ଜେକସନ ଆଦି ନେବା ଆଣିବା କରିଥାନ୍ତି । ରୋଗୀଙ୍କ ନିମନ୍ତେ କେଉଁ ଖାଦ୍ୟ କେତେ ପରିମାଣର ଦିଆଯିବ, ଏହି ଖାଦ୍ୟ ଖାତାକୁ ମଧ୍ୟ ନେବା ଆଣିବା କରିଥାନ୍ତି ଆଟେଣ୍ଡାଣ୍ଟ । ଏପରିକି ସେମାନେ ଡ୍ରେସରଭାବେ କାର୍ଯ୍ୟ ମଧ୍ୟ କରିଥାନ୍ତି । ବଡ ମେଡିକାଲରେ ୪୦ଜଣ ଡ୍ରେସର ଦରକାର ପଡୁଥିବାବେଳେ ଏବେ ମାତ୍ର ୨ଜଣ ରହିଛନ୍ତି । ତେଣୁ ଏହି କାର୍ଯ୍ୟ କରିବାପାଇଁ ଆଟେଣ୍ଡାଣ୍ଟଙ୍କ ସହାୟତା ନେବାକୁ ପଡିଥାଏ । କିନ୍ତୁ ଏହିସବୁ ଗୁରୁତ୍ୱପୂର୍ଣ୍ଣପାଇଁ ଆଟେଣ୍ଡାଣ୍ଟଙ୍କ ଅଭାବ ରହିଛି । ସେହିପରି କେତେକ ଆଟେଣ୍ଡାଣ୍ଟ୍ ଠିକ ସମୟରେ ଆସୁନଥିବା ବରିଷ୍ଠ ଡାକ୍ତର ଜଣକ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯିବ ବୋଲି ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ ।