ଏଥର ଅନଳାଇନରେ କରିହେବ ସରକାରୀ ଦେୟ ପଇଠ

Sep 3, 2021 - 06:29
 107
ଏଥର ଅନଳାଇନରେ କରିହେବ ସରକାରୀ ଦେୟ ପଇଠ
ଭୁବନେଶ୍ୱର: ସରକାରୀ ଦେୟକୁ କାର୍ଡ, ୟୁପିଆଇ, କୁ୍ୟଆର କୋଡ୍ ଓ ୱାଲେଟ ଆଦି ଜରିଆରେ ପଇଠ କରିହେବ । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବ୍ୟାବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା ଉପଭୋକ୍ତାମାନଙ୍କୁ ଆଉ କେବଳ ଅନଲାଇନ ଇଲେକ୍ଟ୍ରୋନିକ୍ ପଇଠ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନି । ସେମାନେ ଆରାମରେ ଯେକୌଣସି ସ୍ଥାନରୁ ଅନ୍ୟାନ୍ୟ ପେମେଣ୍ଟ ବ୍ୟବସ୍ଥାକୁ ବ୍ୟବହାର କରି ସରକାରୀ ଦେୟ ପଇଠ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ଅନଲାଇନ ଦେୟ ପଇଠର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି । ଏନେଇ ରାଜ୍ୟ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଥିରେ ଯୋଗ ଦେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ କହିଛନ୍ତି ଯେ ଅର୍ଥ ବିଭାଗର ସମନ୍ୱିତ ଆର୍ଥôକ ପରିଚାଳନା ବ୍ୟବସ୍ଥା (ଆଇଏମଏଫଏସ) ଅନ୍ତର୍ଗତ ଅନଲାଇନ୍ ଦେୟ ପଇଠ ବ୍ୟବସ୍ଥାକୁ ପରିବର୍ଦ୍ଧିତ ଓ ସରଳୀକରଣ କରାଯାଇଛି । ପୂର୍ବରୁ କେବଳ ଅନଲାଇନ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦେୟ ପଇଠ ସୁବିଧା ଥିଲା । ଆଗକୁ ବିଭିନ୍ନ ପ୍ରକାର ପେମେଣ୍ଟ୍ ବ୍ୟବସ୍ଥାକୁ ଏଥିପାଇଁ ବ୍ୟବହାର କରିହେବ । ବର୍ତ୍ତମାନ ୩୭ଟି ସରକାରୀ ବିଭାଗ ଟ୍ରେଜେରିର ସରାକାରୀ ଟିକସ ଓ ଦେୟ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ୧୩ଟି ସାଧାରଣ ଉଦ୍ୟୋଗ ଓ ଘରୋଇ ବ୍ୟାଙ୍କ ସଂଯୋଜିତ ହୋଇଛନ୍ତି । ୩୭ଟି ବିଭାଗର ୧୫୦ ପ୍ରକାର ସେବା ପାଇଁ ବୈଦୁତିକ ବ୍ୟବସ୍ଥା ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅନଲାଇନ୍ ଓ ବୈଦୁତିକ ରସିଦ୍ ବ୍ୟବସ୍ଥାର ଦ୍ୱିତୀୟ ସଂସ୍କରଣ ନେଣଦେଣକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ । ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ସର୍ଭିସ ପୋର୍ଟାଲକୁ ସମନ୍ୱିତ ଟ୍ରେଜେରି ପରିଚାଳନା ପୋର୍ଟାଲ୍ ସହ ସଂଯୋଜିତ କରାଯାଇଛି । ଏଥିପାଇଁ ଉଭୟ ବ୍ୟାଙ୍କ ସହ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେଜେରି ନିର୍ଦେଶକ ରୂପ ନାରାୟଣ ଦାସ, ଆକ୍ସିସ୍ ବ୍ୟାଙ୍କର ଉପସଭାପତି ଓ ଓଡ଼ିଶା ସର୍କଲ୍ ମୁଖ୍ୟ ବିପ୍ଳବୀ ପଟ୍ଟନାୟକ, ଇଣ୍ଡିଆନ୍ ବ୍ୟାଙ୍କର ଓଡ଼ିଶା ମହାପ୍ରବନ୍ଧକ ଆର ଶ୍ରୀନିବାସନ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଯୋଗୁଁ ବିଲ ଡେସ୍କ ଓ ସିସି ଆଭେନୁ୍ୟର ପେମେଣ୍ଟ ବ୍ୟବସ୍ଥାକୁ ବ୍ୟବହାର କରିହେବ ।