୬ ମାସରେ ଭୁବନେଶ୍ୱର ବିମାନ ବନ୍ଦରରେ ହେବ ତୃତୀୟ ଟର୍ମିନାଲ -ଧର୍ମେନ୍ଦ୍ର

Feb 23, 2019 - 19:08
 139
ଭୁବନେଶ୍ୱର,୨୩/୨(ସକାଳଖବର): ଆସନ୍ତା ୫ ରୁ ୬ ମାସ ମଧ୍ୟରେ ୯୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଏୟାରପୋର୍ଟର ପଶ୍ଚିମରେ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ ହେବ । ଏହା ସମ୍ପୃକ୍ତ ବିମାନ ବନ୍ଦରର ତୃତୀୟ ଟର୍ମିନାଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ଦିବସରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରର ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଯେଉଁ ଗ୍ୟାପ୍ ଥିଲା । ଏହି ଗ୍ୟାପକୁ ଗୋଟିଏ ଲିଙ୍କ୍ ଏୟାରପୋର୍ଟ ଟର୍ମିନାଲ ବିଲ୍ଡିଂ ମାଧ୍ୟମରେ ଯୋଡିବାର କାମ କରାଗଲା । ଏହାଦ୍ୱାରା ଭୁବନେଶ୍ୱର ଏୟାରପୋର୍ଟର କ୍ଷମତା ବୃଦ୍ଧି ପାଇବ । ଅଧିକ ଏରୋବ୍ରିଜ୍ ତିଆରି ହେବା ସହ ଯାତ୍ରୀମାନେ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କିଛି ମାସ ପୂର୍ବେ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦରର ଉଦ୍ଘାଟନ ହୋଇଥିଲା । ବଡ ବଡ ଏୟାରଲାଇନ୍ ମାଧ୍ୟମରେ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ତିନୋଟି ସହରକୁ ମାର୍ଚ ପ୍ରାରମ୍ଭରେ ପ୍ଲେନ୍ ଚଲେଇବାର ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ଏୟାରପୋର୍ଟର ପଶ୍ଚିମରେ ନୂଆ ଟର୍ମିନାଲ ହେଲେ ଏହା ବଡ ଏୟାରପୋର୍ଟର ରୂପ ନେବ ଏବଂ ଦେଶ ବିଦେଶରୁ ବିମାନ ସେବା ବଢିପାରିବ । ଭାରତର ସମାନ୍ୟ ନାଗରିକ ମାନଙ୍କ ପାଇଁ ଅଧିକ ଏୟାର ଭିତିଭିମି ହେଉ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଖୋର୍ଦ୍ଧାର ପାଖାପାଖି ଅଂଚଳରେ ଦ୍ୱିତୀୟ ଏୟାରପୋର୍ଟର ଆନୁସଙ୍ଗିକ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଉଡାନ ଯୋଜନାରେ ଭୁବନେଶ୍ୱର ଓ ଝାରସୁଗୁଡାରୁ ବିଭିନ୍ନ ଅଂଚଳକୁ ପ୍ଲେନ୍ ଚାଲିବା ନେଇ ବର୍ଷକୁ ଭାରତ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ସବସିଡି ଦେଇ ଓଡିଶାର ନାଗରିକଙ୍କୁ ଯୋଡିବେ । ଆଜିର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।