ଏଣିକି ଅନ୍ଲାଇନରେ ଜଗନ୍ନାଥ ଦର୍ଶନ

Nov 26, 2018 - 17:52
 187
ଏଣିକି ଅନ୍ଲାଇନରେ ଜଗନ୍ନାଥ ଦର୍ଶନ
ପୁରୀ, ୨୬/୧୧ (ସକାଳଖବର): ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିକେଟ୍ ଦର୍ଶନ ବ୍ୟବସ୍ଥା, କାର୍ତିକ ନୀତି ସମୀକ୍ଷା, ଶଙ୍କରାଚାର୍ଯ୍ୟ ମଠ ଜମି ପ୍ରସଙ୍ଗ, ବାଉଳି ମଠ ଉନ୍ନତିକରଣ, ଘଟ ପରିବର୍ତନରେ ବିଳମ୍ବ, ମହାପ୍ରଭୁଙ୍କ ଜମି ସମସ୍ୟା, ଜଗନ୍ନାଥ ବଲ୍ଲଭ, ଏମାର ମଠ, ପରିକ୍ରମା ରାସ୍ତା ଉନ୍ନତିକରଣ ପାଇଁ ବିଭିନ୍ନ କମ୍ପାନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ସେବାୟତଙ୍କୁ ନୋଟିସ୍ ସମ୍ପର୍କରେ ସରଗରମ ଆଲୋଚନା ହୋଇଥିଲା । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ । ବୈଠକରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ଭିତର କାଠରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା । ଏହି ନୂତନ ବ୍ୟବସ୍ଥା ମୁତାବକ, ଏଣିକି ଜଗନ୍ନାଥଙ୍କୁ ଭିତର କାଠ ନିକଟରୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଟିକେଟ୍ କାଟିବାକୁ ପଡିବ । ୬୦ ପ୍ରତିଶତ ଟିକେଟ୍ ଅନ୍ ଲାଇନ୍ ରେ, ୩୫ ପ୍ରତିଶତ ଟିକେଟ୍ କାଉଂଟରରେ ଉପଲବ୍ଧ ହେବ । ବାକି ୫ ପ୍ରତିଶତ ଟିକେଟ୍ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ । ଏହି ଦର୍ଶନ ବ୍ୟବସ୍ଥା ନିମନ୍ତେ ଏକ କମିଟି ଗଠନ କରାଯାଇଛି । କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଚଂଳ ଆଇଜି, ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟ ରହିବେ । ଅବକାଶ, ଗୋପାଳ ବଲ୍ଲଭ, ମଧ୍ୟାହ୍ନ ଧୂପ ଓ ଚନ୍ଦନ ଲାଗି ବେଳେ ଭକ୍ତମାନଙ୍କୁ ଟିକେଟ୍ ଦର୍ଶନ ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ସେହିପରି ଦାନ ବାବଦରେ ମିଳୁଥିବା ସୁନାକୁ ଗୋଲ୍ଡ ମନିଟାଇଜେସନ ସ୍କିମ୍ ରେ ରଖାଯିବାକୁ ବୈଠକରେ ନିଷ୍ପତି ହୋଇଛି । ଲକରରେ ରଖିଲେ ସୁଧ ମିଳୁନଥିବାରୁ ଏପରି ନିଷ୍ପତି ନିଆଯାଇଛି । ଗୋଲ୍ଡ ସ୍କିମ୍ ରେ ଦାନ ଅର୍ଥ ରହିଲେ ୨.୫ ପ୍ରତିଶତ ସୁଧ ମିଳିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଶଙ୍କରାଚାର୍ଯ୍ୟ ମଠର ୪ ଏକର ୯୩ ଡିସିମିଲ ଜାଗା ଶ୍ରୀଜଗନ୍ନାଥ ମନ୍ଦିର ନାମରେ ରହିଛି ତାହା ସ୍ୱତନ୍ତ୍ର ଭାବେ ମଠ ନାମରେ ହସ୍ତାନ୍ତର କରାଯିବ । ଶିଖ୍ ସମ୍ପ୍ରଦାୟଙ୍କ ସହଯୋଗରେ ବାଉଳି ମଠର ଉନ୍ନତିକରଣ କରାଯିବ । ମଠର ସେବାପୂଜା, ଦୋକାନ ଗୃହ ଗୁଡିକର ଉନ୍ନତିକରଣ କରାଯିବ । ଶ୍ରୀ ଗୁରୁଦ୍ୱାର ପ୍ରବନ୍ଧନ କମିଟି, ଶ୍ରୀମନ୍ଦିର ପ୍ରଶାସନ ଓ ବାଉଳି ମଠ କମିଟି ସହିତ ମିଶି ଏହି ଉନ୍ନତିକରଣ କାର୍ଯ୍ୟ କରାଯିବ । ଶ୍ରୀ ଜଗନ୍ନାଥଙ୍କ ପ୍ରଶାସନଙ୍କ ନିକଟରେ ଜମି ରେକଡର଼୍ ରହିବ । ଘଟ ପରିବର୍ତନରେ ବିଳମ୍ବ ହେତୁ ୧୧ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା । ସେମାନଙ୍କ ମଧ୍ୟରୁ କିଛି ସେବାୟତ ଉତର ରଖିଛନ୍ତି । ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀମନ୍ଦିର ପ୍ରଶାସନର ଅଭାବ ଅସୁବିଧା ଓ ଶ୍ରୀଜୀଉଙ୍କ ବିଭିନ୍ନ ଗୁପ୍ତସେବା ସମ୍ପର୍କରେ ସେବାୟତ ଗଣମାଧ୍ୟମରେ କହିବା ଠିକ୍ ହୋଇନାହିଁ । ସେବକମାନେ ଶୃଙ୍ଖଳା ରକ୍ଷା କରିବା ଉଚିତ୍ । ସମ୍ବେଦନଶୀଳ ପ୍ରସଙ୍ଗରେ ଗଣମାଧ୍ୟକୁ କିଛି କହିବା ଠିକ୍ ହୋଇନାହିଁ । ସେବକମାନଙ୍କୁ ଏନେଇ ଦୁଇ ଥର ନୋଟିସ୍ ପରେ ଉତର ନଦେଲେ ଗଣମାଧ୍ୟମରେ ପ୍ରକାଶ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଯେଉଁ ସେବାୟତ କ୍ଷମା ମାଗିବେ ତାଙ୍କ କଥା ବିଚାର କରାଯିବ ।