ରାଜ୍ୟସଭା ଯିବେ ଅପରାଜିତା

Nov 27, 2018 - 11:17
 1768
ରାଜ୍ୟସଭା ଯିବେ ଅପରାଜିତା
ଭୁବନେଶ୍ୱର, ୨୭/୧୧(ସକାଳଖବର): ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ଅପରାଜିତା ଷଢ଼ଙ୍ଗୀ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ଶ୍ରୀମତୀ ଷଢ଼ଙ୍ଗୀ ଦିଲ୍ଲୀରେ କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଘଟଣା ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟ ହୋଇଛି । ଅପରାଜିତା ଆଗାର୍ମୀ ୧୧ ବର୍ଷର ଆଇଏଏସ୍ ଜୀବନରୁ ଅବ୍ୟାହତି ନେଇ ରାଜନୀତି କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବା ଅନେକଙ୍କୁ ଚକିତ କରିଛି । ରାଜନୀତିକୁ ଦକ୍ଷ, ଶିକ୍ଷିତ ଓ ଜ୍ଞାନୀ ବ୍ୟକ୍ତିଙ୍କ ପ୍ରବେଶର ଆବଶ୍ୟକତା ଯେ ରହିଛି ତାହା ଅପରାଜିତା ପ୍ରମାଣିତ କରିଛନ୍ତି । ଏହାଦ୍ୱାରା ଅନ୍ୟ ଦକ୍ଷ ବ୍ୟକ୍ତମାନେ ରାଜନୀତି କ୍ଷେତ୍ରରେ ପାଦ ଦେଇ ଦେଶ ଗଠନରେ ଭୂମିକା ଗ୍ରହଣ ପାଇଁ ଅପରାଜିତା ପରୋକ୍ଷରେ ଏକ ଆହ୍ୱାନ ସୃଷ୍ଟି କରିଛନ୍ତି । ରାଜନୀତିରେ ବାଦ ଥାପିବା ପରେ ଦଳ ମଧ୍ୟରେ ଅପରାଜିତାଙ୍କ ସ୍ଥିତି କଣ ରହିବ ତାହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ହୋଇଥିବାରୁ ଓଡ଼ିଶାରେ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ଓଡ଼ିଶାରେ ତାଙ୍କୁ କେଉଁ ଦାୟିତ୍ୱରେ ରଖାଯିବ ତାହା ଦେଖିବାର ବିଷୟ । ସେ ତକ୍ରାଳ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ ନା ଦଳର ସାଂଗଠନିକ କାର୍ଯ୍ୟକଳାପ ଦାୟିତ୍ୱରେ ବର୍ତ୍ତମାନ ପାଇଁ ରହିବେ ସେଥିନେଇ କଳ୍ପନାଜଳ୍ପନା ଜାରି ରହିଛି । ତେବେ ଆଇଏଏସ୍ ଏକ ସର୍ବଭାରତୀୟ ସେବା ଚାକିରୀ । ସେହିପରି ଅପରାଜିତା ଦିଲ୍ଲୀରେ ଦଳରେ ଯୋଗଦେଇ ନିଜକୁ ସର୍ବଭାରତୀୟ ନେତା ଭାବେ ଉପସ୍ଥାପିତ କରିବାକୁ ଚାର୍ହିଛନ୍ତି । ତେଣୁ ଓଡ଼ିଶାରେ ରାଜନୈତିକ ଉତ୍ସୁକତା ତାଙ୍କ ପାଇଁ ବିଶେଷ ରାଜନୈତିକ ମହତ୍ୱ ରଖେ ନାହିଁ । ଅପରାଜିତା ବିହାରର ବ୍ରାହ୍ମଣ ପରିବାର ଲଳନା । ଏକ ଦୀର୍ଘ ରାଜନୈତିକ ଆକାଂକ୍ଷା ରଖି ସେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ତାଙ୍କର ଚାକିରୀ କାଳ ଆରମ୍ଭ ହୋଇଛି । କିନ୍ତୁ ତାଙ୍କ ଚାକିରୀ ସମୟ ବିବାଦୀୟ । ଜଣେ କଠୋର ଓ ଅହମିକା ସଂପନ୍ନ ନାରୀ ଚରିତ୍ର ଭାବେ ସେ ଜନଗଣଙ୍କ ମଧ୍ୟରେ ସେତେଟା ଗ୍ରହଣୀୟ ହୋଇପାରି ନାହାଁନ୍ତି । ଯେଉଁଥି ପାଇଁ ଦୁଇଦୁଇଟି ଜିଲ୍ଲାରେ ମାତ୍ର ୮ ମାସ ଲେଖାଁଏ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ଏପ୍ରକାର ଅନ୍ୟ ଏକ ଚରିତ୍ର ଆଇଏଏସ୍ ହୃଷିକେଶ ପଣ୍ଡା ମାତ୍ର ଗୋଟିଏ ଜିଲ୍ଲାରେ ସ୍ୱଳ୍ପ ସମୟ ପାଇଁ ଜିଲ୍ଲାପାଳ ପଦବୀ ମଣ୍ଡନ କରିଥିଲେ । ପରିସ୍ଥିିତି ଏପରି ହୋଇଥିଲା ଯେ, ବ୍ରହ୍ମପୁର ସର୍କିଟ ହାଉସରେ ତାଙ୍କ ନିକଟରୁ ଜୋରଜବରଦସ୍ତ ଦାୟିତ୍ୱ ନେଇ ନିଆଗଲା । ଅନ୍ୟଜଣେ ସଚ୍ଚୋଟ ଆଇଏଏସ୍ ତାରା ଦତ୍ତ ଜିଲ୍ଲାପାଳ ପଦବୀ ପାଇପାରି ନଥିଲେ । ଆଇଏଏସ୍ ସେବାରେ ଜିଲ୍ଲାପାଳ ପଦବୀ ହିଁ ପ୍ରମାଣିତ କରିଥାଏ ଜଣେ ଅଧିକାରୀଙ୍କ ଲୋକପ୍ରିୟତା ଓ ପରିଚାଳନାଗତ ଦକ୍ଷତା ଏଇଠାରେ ହିଁ ପ୍ରମାଣିତ ହୋଇଥାଏ । ସେ ଦକ୍ଷତା ଜିଲ୍ଲାପାଳ ଭାବେ ଅପରାଜିତା ପ୍ରମାଣିତ କରିପାରି ନାହାଁନ୍ତି । ୨୦୦୬ରୁ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବେ ସେ ଅବସ୍ଥାପିତ ହେବା ପରେ ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିଲେ । ବସ୍ତି ଉଚ୍ଛେଦ କରିଥିଲେ । ତାଙ୍କ ଟେବୁଲ ଉପରେ କୌଣସି ଫାଇଲ ରହିଲା ନାହିଁ । କିନ୍ତୁ ବସ୍ତି ଉଚ୍ଛେଦ ସମୟରେ ଅଫିସର ମାଡ଼ ଖାଇ ଆହତ ହେଲେ । ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ । ଏହା ତାଙ୍କ ପରିଚାଳନା ଦକ୍ଷତା ପ୍ରତି ଆଙ୍ଗୁଳି ନିଦେ୍ର୍ଧଶ କଲା । ଗଣଶିକ୍ଷା ବିଭାଗର ସଚିବ ଭାବେ ବିଦ୍ୟାଳୟରେ ପ୍ରଶାସନିକ ଅନୁଶାସନ ଆରମ୍ଭ କଲେ । ଫଳରେ ବିଦ୍ୟାଳୟରେ ସୃଷ୍ଟି ହେଲା କୋକୁଆ ଭୟ । ମ୍ୟାଡ଼ାମ ଜିଲ୍ଲାର ବିଦ୍ୟାଳୟକୁ ପରିଦର୍ଶନରେ ଯିବ ପୂର୍ବରୁ ଜାଣିଥାନ୍ତି ଗଣମାଧ୍ୟମ । ଏହି ସମୟରେ ଆରମ୍ଭ ହେଲା ଡେ଼୍ରସ୍ କୋଡ଼ । ଏହି ଡେ଼୍ରସ୍ କୋଡ଼ ଏପରି ତରବରିଆ ଭାବେ ଆରମ୍ଭ ହେଲା ଯେ ଏଥିରେ ଶାଢ଼ୀ ଦୁର୍ନୀତି କଥା ମଧ୍ୟ ଉଠିଲା । ଶିକ୍ଷୟିତ୍ରୀଙ୍କ ପାଇଁ ଧଡ଼ି ବିହୀନ ‘ବିଧବା’ ଶାଢ଼ୀ କଥା ଉଠିଲା । ଇଏତ ଓଡ଼ିଶାରେ ଅପରାଜିତାଙ୍କ ଅମାନିଆ ପ୍ରଶାସନିକ କାର୍ଯ୍ୟଧାରା । ଏପରି ସ୍ଥିତିରେ ରାଜ୍ୟରେ ତାଙ୍କର ରାଜନୈତିକ କାର୍ଯ୍ୟଧାରା ଆରମ୍ଭ ହୋଇନାହିଁ । ଏଠାରେ ରାଜନୈତିକ ମଙ୍ଗ ଧରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅପରାଜିତା ଧର୍ମେନ୍ଦ୍ରଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବେ କି ନାହିିଁ ତାହା ତାଙ୍କର ପୂର୍ବ ପ୍ରଶାସନିକ କାର୍ଯ୍ୟଧାରାରୁ ସନେ୍ଦହ ସୃଷ୍ଟି କରୁଛି । ତେଣୁ ପଶ୍ଚିମ ଓଡ଼ିଶାର ବୋହୂ ନିଜ ରାଜନୈତିକ ଜୀବନ ପାଇଁ ଓଡ଼ିଶାରେ ଆଖି ରଖିଛନ୍ତି ନାଁ ବିହାରର ଝିଅ ଭାବେ ବିହାରକୁ ଆଖେଇଛନ୍ତି ତାହା ତର୍ଜମାର ବିଷୟ । ବିହାରର ଅନେକ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ଏବେ ଓଡ଼ିଶାରେ କାର୍ଯ୍ୟରତ । ବିଜେପିରେ ଅପରାଜିତାଙ୍କ ଯୋଗଦାନ ଦ୍ୱାରା ଏହି ଅଧିକାରୀମାନେ ଆଗାମୀ ନିର୍ବାଚନରେ ବିଜେପି ପାଇଁ ଗୁଣ୍ଡୁଚିମୁଷା ସଦୃଶ ହୋଇପାରନ୍ତି ବୋଲି ଦଳ ଆଶା ରଖିଛି । ଏଥିସହ ବିହାର ଦୃଷ୍ଟିକୋଣରୁ ମଧ୍ୟ ଅପରାଜିତାଙ୍କ ଉପରେ ଦଳ ଦୃଷ୍ଟି ରଖିଛି । ଅପରାଜିତାଙ୍କୁ ଯେନତେନ ପ୍ରକାରେ ଓଡ଼ିଶା ବା ବିହାରରୁ ଦଳ ସାଂସଦକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି । ଲୋକସଭା ନହେଲେ ମଧ୍ୟ ରାଜ୍ୟସଭାକୁ ନେବା ପାଇଁ ଦଳ ଲକ୍ଷ୍ୟ ରଖିଛି ।