‘ଏକତ୍ର ନିର୍ବାଚନ’: ମୋଦୀଙ୍କ ଦ୍ୱାରା ଆଉ ଏକ ଗୁଡ଼ିଉଡ଼ା

Apr 28, 2018 - 07:41
 199
‘ଏକତ୍ର ନିର୍ବାଚନ’: ମୋଦୀଙ୍କ ଦ୍ୱାରା ଆଉ ଏକ ଗୁଡ଼ିଉଡ଼ା
ଦେଶରେ ଏକତ୍ର ବିଧାନସଭା ଓ ଲୋକସଭା ନିର୍ବାଚନ କରାଯିବା ନେଇ ବିଜେପି ସରକାର କ୍ଷମତାସୀନ ହେବା ପରେ କହିଆସୁଛନ୍ତି । ଏଥିପ୍ରତି ରାଜନୈତିକ ଦଳ ମଧ୍ୟରେ ସହମତି ପ୍ରକାଶ ପାଇନଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟରେ ଅଛନ୍ତି । ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ଗତ ନିର୍ବଚନ ସମୟର ପ୍ରତିଶ୍ରୁତି ରକ୍ଷା କରିପାରିନଥିବାରୁ ଆଗୁଆ ନିର୍ବାଚନ କରିବା ବିଷୟ ଚିନ୍ତା କରୁଛନ୍ତି । ଗତ ନିର୍ବାଚନ ସମୟରେ ବିଜେପି ପ୍ରଚାର କମିଟି ମୁଖ୍ୟ ଭାବେ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପ୍ରତିଶ୍ରୁତି ଥିଲା ବିଦେଶରୁ କଳା ଫେରାଇଆଣି ଦେଶର ଗରିବ ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିଦେବା । ଇତିମଧ୍ୟରେ କ୍ଷମତାସୀନ ହେବାର ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା କଳା ଟଙ୍କା ବିଦେଶରୁ ଫେରାଇ ଆଣିବା କ୍ଷେତ୍ରରେ ବିଶେଷ ଅଗ୍ରତି ଘଟିପାରି ନାହିଁ । ଆଗାମୀ ନିର୍ବାଚନ ପୂର୍ବରୁ ମଧ୍ୟ ଟଙ୍କା ଫେରସ୍ତ ସମ୍ଭାବନା କ୍ଷୀଣ । ଏହି ବିଫଳତାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ବର୍ଷ ଶାସନ ଶେଷରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ବିମୁଦ୍ରାୟନ କରିଥିଲେ । ଏହାର ଫଳ ସ୍ୱରୂପ ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଏହାର ଲାଭାଂଶ ଅଧା ଦେଲା । ବିମୁଦ୍ରାୟନ ଯୋଗୁଁ ନେଣଦେଣ ମାନ୍ଦା ଓ ନୂଆ ନୋଟ୍ ଛାପିବାରେ ଅର୍ଥ ବ୍ୟୟ ହେବାରୁ ସରକାରୀ ଲକ୍ଷ୍ୟ ୭୮ ହଜାର କୋଟି ବଦଳରେ ରିଜର୍ଭ ବ୍ୟାଙ୍କ ମାତ୍ର ଦେଲା ୩୫ ହଜାର କୋଟି ଲାଭାଂଶ । ଆର୍ଥିକ ଅବ୍ୟବସ୍ଥା ଯୋଗୁଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ପୁନର୍ବାର ପଦବୀରେ ରହିବାକୁ ଆଗ୍ରହ ପ୍ରକାଶ ନକରି ସ୍ଥାନ ପରିତ୍ୟାଗ କରିଥିଲେ । ଆକଳିତ ଅଭିବୃଦ୍ଧି ହାସଲ ହୋଇନପାରିବାରୁ ନୀତି ଆୟୋଗ ଅଧ୍ୟକ୍ଷ ଅରବିନ୍ଦ ପାନଗାରିୟା ମଧ୍ୟ କାର୍ଯ୍ୟକାଳ ପୂର୍ବରୁ ବିଦାୟ ନେଲେ । ମୋଦିଙ୍କ ପାଇଁ ଏହା ବାସ୍ତବ ଚିନ୍ତାର ବିଷୟ ହୋଇଥିବାବେଳେ ଦଳ ‘ଏକତ୍ର ନିର୍ବାଚନ’ ପ୍ରସଙ୍ଗକୁ ନେଇ ଗୁଡ଼ିଉଡ଼ା ଆରମ୍ଭ କରିଛି । ଚଳିତ ଲୋକସଭା ନିର୍ବାଚନ କାର୍ଯ୍ୟକାଳ ୨୦୧୯ ମସିହା ମେ’ ମାସରେ ଶେଷ ହେବ । ଏହି ସମୟ ବେଳକୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ଏହାର ୬ ମାସ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ଏହି ସମୟରେ ଲୋକସଭା ନିର୍ବାଚନ କରିବା ପାଇଁ ମୋଦୀ ମସୁଧା ଚଳାଇଛନ୍ତି । ଏଥିରେ ସାମିଲ ହେବା ପାଇଁ ଆଗୁଆ ବିଧାନସଭା ଭଙ୍ଗ ପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶାକୁ ପ୍ରବର୍ତ୍ତାଇବା ପାଇଁ ବିଜେପି ଉଦ୍ୟମ କରିବ । ଏନଡ଼ିଏରେ ଯୋଗଦେବା ପରେ ବିହାରରେ ନୀତିଶ କୁମାରଙ୍କ ସ୍ଥିତି ଦୋଦୂଲ୍ୟମାନ ରହିଛି । ତେଣୁ ବିଧାନସଭା ଭାଙ୍ଗିଦେବା ପାଇଁ ତାଙ୍କୁ ମଧ୍ୟ ମୋଦୀ ପ୍ରବର୍ତ୍ତାଇବାର ସମ୍ଭାବନା ରହିଛି । ଏଆଇଏଡ଼ିଏମକେ ଦୁଇ ଗୋଷ୍ଠୀ ମିଳାମିଶା ଦାୟିତ୍ୱ ଏବେ ମୋଦୀ ନେଇଛନ୍ତି । ତାମିଲନାଡ଼ୁର ଶାସକ ଏଆଇଏଡ଼ିଏମକେ ଦଳକୁ ମଧ୍ୟ ଏହି ନିର୍ବାଚନରେ ସାମିଲ କରିବା ପାଇଁ ମୋଦୀ ଉଦ୍ୟମ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ରାଜନୈତିକ ସ୍ତରରେ ଏପ୍ରସଙ୍ଗରେ ଅଦ୍ୟାବଧି ବିଚାରବିମର୍ଷ ଆରମ୍ଭ ହୋଇନାହିଁ । ନିଜର ରାଜନୈତିକ ଅଭିଳାଷ ପୂରଣ ପାଇଁ ବ୍ୟୟ ହ୍ରାସ ଓ ଆଇନଶୃଙ୍ଖଳା ପରିସ୍ଥିତି ଆଳରେ ମୋଦୀ ଏକ ‘ଏକତ୍ର ନିର୍ବାଚନ’ ଗୁଡ଼ିଉଡ଼ା ଆରମ୍ଭ କରିଛନ୍ତି । ଏଥିରୁ ପୁଣିଥରେ କ୍ଷମତାସୀନ ହେବା ପାଇଁ ମୋଦୀ ଲକ୍ଷ୍ୟ ରଖିଛନ୍ତି ।