ଭୁବନେଶ୍ୱର, ଚଣ୍ଡିଗଡ଼ ଓ ଜାସେମଦପୁର

Jul 21, 2018 - 15:50
 388
ଭୁବନେଶ୍ୱର, ଚଣ୍ଡିଗଡ଼ ଓ ଜାସେମଦପୁର
ଭୁବନେଶ୍ୱର, ୨୧/୭ (ସୌଭାଗ୍ୟ ସୁନ୍ଦରରାୟ): ଲଘୁଚାପ ବର୍ଷାରେ ନୂଆ ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟକ ସହର ଉବୁଟୁବୁ ହେଉଛି । ଯମଜ ନଗରୀରେ କୃତ୍ରିମ ବନ୍ୟା । ଘରେଘରେ ପାଣି ପଶିଯାଇଛି । ରାସ୍ତାରେ ଆଣ୍ଠୁଏ ବେକେ ଉଚ୍ଚରେ ବର୍ଷା ପାଣି ବନ୍ୟା ସୁଅ ପରି ପ୍ରବାହିତ ହେଉଛି । ରାସ୍ତାରେ ଥୁଆ ହୋଇଥିବା ଗାଡ଼ିମୋଟର ମଧ୍ୟ ବୁଡିÿଯାଇଛି । ନଥିଲାବାଲାଙ୍କ ଘରେ ଚୁଲି ଜଳିପାରି ନାହିଁ । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ରାଜ୍ୟର ପୁରୁଣା ରାଜଧାନୀ କଟକର ଅବସ୍ଥା ପୂର୍ବରୁ ଏପରି ରହିଆସିଛି । କିନ୍ତୁ ଏବେ ନୂଆ ରାଜଧାନୀ ଅବସ୍ଥା ଦେଖିଲେ ପୁରୁଣା ରାଜଧାନୀ ସମସ୍ୟାରୁ ପ୍ରଶାସନ ବା ଜନସାଧାରଣ କିଛି ବୁଦ୍ଧି ଶିଖିନଥିବା ପରି ଜଣାପଡ଼ୁଛି । କଟକ ଏକ ପୁରୁଣା ସହର । ମାତ୍ର ୫ଟି ପଡ଼ାରୁ ଏ ସହର ଆରମ୍ଭ ହୋଇଥିଲା । ଏହା ସହସ୍ର ବର୍ଷର ପୁରୁଣା । ସହରର ନକ୍ସା ନାହିଁ କି ଯୋଜନା ନାହିଁ । କିନ୍ତୁ ଭୁବନେଶ୍ୱର ସହରର ସେ ସମସ୍ୟା ତ ନଥିଲା । ଜର୍ମାନ ସ୍ଥପତି ଭୁବନେଶ୍ୱର ସହରର ନକ୍ସା ପ୍ରସ୍ତୁତି କରିଥିଲେ । ସହରକୁ ମାତ୍ର ୬୦ ବର୍ଷ ହୋଇଛି । ଏତେ କମ୍ ସମୟ ମଧ୍ୟରେ ଏ ସହରର ଏପରି କିପରି ଅବସ୍ଥା ହେଲା ? ଭୁବନେଶ୍ୱର ସହରର ରୂପରେଖ ପ୍ରସ୍ତୁତ କରିଥିବା ସ୍ଥପତି ଓଟୋ କୋନିସ୍ବର୍ଜର ଚଣ୍ଡିଗଡ଼ ଓ ଜାମସେଦପୁର ସହରର ନକ୍ସା ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ପରିପ୍ରେକ୍ଷୀରେ ଚଣ୍ଡିଗଡ଼ ଓ ଜାମେସଦପୁର ସହରକୁ ଭୁବନେଶ୍ୱର ସହର ସହ ତୁଳନା କରାଯାଉ । ଏ ଦୁଇଟି ସହରକୁ ମୁଁ ଏକାଧିକ ଥର ଦେଖିଛି । ଅତି ସ୍ୱଚ୍ଛ ସହର । ସହରର ଜଳ ନିଷ୍କାସନ ବ୍ୟବସ୍ଥା ଏପରି କରାଯାଇଛି ଯେ, ଏଠାରେ ପାଣି ଜମି ରୁହେ ନାହିଁ । ଜାମସେଦପୁର ଟାଟା କଂପାନୀର ଇସ୍ପାତ କାରଖାନା, ଟାଟା ମୋଟର୍ସ, ଟିନପ୍ଲେଟ ଆଦି କାରଖାନା ରହିଛି । କଟକ ପରି ଏହାର ଜଳ ନିଷ୍କାସନ ଭୂପୃଷ୍ଠ ଖୋଲା ଡେ଼୍ରନ ବ୍ୟବସ୍ଥାରେ ହୋଇଥାଏ । କିନ୍ତୁ ଏହା ଏପରି ଭାବେ ନିର୍ମାଣ କରାଯାଇଛି ଯେ, ପାଣି ଜମି ରହିବା ଆଦୌ ଦେଖାଯାଇନଥାଏ । ସେହିପରି ଚଣ୍ଡିଗଡ଼ ରାସ୍ତାଘାଟକୁ ଅନେଇଲେ ଏହା ଏବେ ବି ଖାଁଖାଁ ଲାଗେ । ସତେ ଯେପରି ଏଠାରେ ଲୋକସଂଖ୍ୟା ବହୁତ କମ୍ ପରି ଜଣାପଡ଼ିଥାଏ । ଭୁବନେଶ୍ୱର ସହର ଭଳି ଜନବହୁଳ ଦୃଶ୍ୟମାନ ହେବାକୁ ଚଣ୍ଡିଗଡ଼କୁ ବୋଧହୁଏ ଆଉ ୧୦୦ ବର୍ଷ ଲାଗିଯିବ । କିନ୍ତୁ ମାତ୍ର ୧୦ ଲକ୍ଷ ଜନସଂଖ୍ୟାବିଶିଷ୍ଟ ନୂଆ ଭୁବନେଶ୍ୱରର ଏପରି ଅବସ୍ଥା ଏବେ ଚିନ୍ତାର ବିଷୟ ହୋଇଛି । ଭୁବନେଶ୍ୱର ଜଳମଗ୍ନ ବିଷୟ କଥା ଉଠେଇଲେ କେହିକେହି ମୁମ୍ବାଇ ତ ଜଳମଗ୍ନ ହେଉଛି ବୋଲି କହୁଛନ୍ତି । କିନ୍ତୁ ମୁମ୍ବାଇ କେତେ ବର୍ଷର ସହର, ଏହାର ଜନସଂଖ୍ୟା କେତେ ଓ ଏଠାରେ କେତେ ସମୟ ମଧ୍ୟରେ ଜଳ ନିଷ୍କାସିତ ହୋଇଥାଏ ସେସଂପର୍କରେ ସେମାନେ ଜାଣିବା ଆବଶ୍ୟକ । ନୂଆ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହେବା ସହ ବିକାଶ ଧାରା ଆଗେଇ ଚାଲିଲା । ଏହି ପରିସ୍ଥିତିରେ ପ୍ରଶାସକ, ରାଜନେତା ଓ ଠିକାଦାରଙ୍କ ମନୋମୁଖୀ ଓ ବେପରୁଆ ଆଭିମୁଖ୍ୟ ଯୋଗୁଁ ମୂଳ ନକ୍ସା ନାଲିଫିତା ତଳେ ରହିଗଲା । ନିଜର ମାନସ ନକ୍ସା ଜରିଆରେ ପ୍ରଶାସକ, ରାଜନେତା ଓ ଠିକାଦର କାର୍ଯ୍ୟ କରିଲେ । ଫଳରେ ଅନିୟନ୍ତ୍ରିତ ତଥା ଲଗାମହୀନ ଭାବେ ସହରର କଳେବର ବୃଦ୍ଧି ପାଇଚାଲିଲା । ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଲା । କିନ୍ତୁ ସେଠାକାର ସ୍ୱିରେଜ ଓ ଡେ଼୍ରନେଜ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଗଲା ନାହିଁ । ଏହି ପ୍ରକ୍ରିୟାରେ ନୂଆ ରାଜଧାନୀ ଅଞ୍ଚଳର ଅନେକ ପ୍ରାକୃତିକ ଜଳ ନିଷ୍କାସନ ପଥ ମଧ୍ୟ ଅବରୋଧ ହୋଇଗଲା । ନିର୍ମାଣ କାର୍ଯ୍ୟର ନକ୍ସା ଅନୁମୋଦନ ସମୟରେ ଏଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ । ବରଂ ବିଭିନ୍ନ ସମୟରେ ସର୍ବକ୍ଷମା ଯୋଜନା କରାଯାଇ ବେଆଇନ ନିର୍ମାଣକୁ ଆଇନସମ୍ମତ କରାଗଲା । ବେଆଇନ କାର୍ଯ୍ୟ ତ ଆଇନସମ୍ମତ ହେଲା, ତାହାଲେ ପ୍ରାକୃତିକ ଭାବେ ଜଳ ନିଷ୍କାସନ ପାଇଁ ଏବେ ବାଟ ସୃଷ୍ଟି ହେବ କେମିତି ? ଏ ପ୍ରଶ୍ନର ଉତ୍ତର କାହାରି ନିକଟରେ ନାହିଁ । ଭୁବନେଶ୍ୱର ସହରର କ୍ରମଃବିକାଶରେ ସରକାରୀ କଳର ଅଦୂରଦର୍ଶୀତା ହିଁ ଆଜିର ସମସ୍ୟାକୁ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ସହରରେ ଜବରଦଖଲ ବୃଦ୍ଧି ପାଇଚାଲିଛି । ଜବରଦଖଲ ବିଭିନ୍ନ ପ୍ରକାର । କିଏ ଦୋକାନ ପାଇଁ ଜବରଦଖଲ କରିଛି ତ କିଏ ଝାଟିମାଟି ଘର ଘଣ୍ଡେ ପାଇଁ ଜବରଦଖଲ କରିଛି । କିଏ ଗାଡ଼ି ରଖିବା ପାଇଁ ଜବରଦଖଲ କରିଛି । ଏହି ଜବରଦଖଲ ମଧ୍ୟ ଜଳ ଅବରୋଧ କରିବାର ଅନ୍ୟ ଏକ କାରଣ ହୋଇଛି । ୬୦ ବର୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଛି । ଏହା ହେବ ପ୍ରଯୁକ୍ତିର ସହର । ପ୍ରଯୁକ୍ତି ଉପଯୋଗରେ ଏଠି ସେବା ମିଳିବ । ତେବେ ପ୍ରଯୁକ୍ତି ଉପଯୋଗରେ ସହରକୁ କିପରି କୃତ୍ରିମ ବନ୍ୟାରୁ ରକ୍ଷା କରାଯାଇପାରିବ ତାହା ଆଗାମୀ ସମୟ ଦେଖିବ ବୋଲି ଆଶା କରାଯାଏ । ଏବେଠାରୁ ସରକାର ଯଦି ପଦକ୍ଷେପ ଗ୍ରହଣ ନକରିବେ ତାହାଲେ ଆଜି ଭୁବନେଶ୍ୱର ସହରର ଅବସ୍ଥା ଯେପରି ହୋଇଛି ପରବର୍ତ୍ତୀ ସମୟରେ ରାଜ୍ୟରେ ଗଢ଼ି ଉଠୁଥିବା ନୂତନ ସହରର ଅବସ୍ଥା ଅନୁରୂପ ହେବ ।