ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

Oct 21, 2021 - 11:33
 108
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁକ୍ରବାର ମୟୂରଭଞ୍ଜ ଗସ୍ତ କାର୍ୟ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଜଗିବାର ବନ୍ଦୋବସ୍ତ କରାଯାଇଛି । ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ୩ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଡିଏସପି, ୮ ଇନ୍ସପେକ୍ଟର, ୬୫ ଏସ୍ଆଇ ରାଙ୍କରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୧୩୨ହୋମଗାର୍ଡ ମଧ୍ୟ ମୁତୟନ ହେବେ ବୋଲି ପୁଲିସ୍ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବାରିପଦା ବସଷ୍ଟାଣ୍ଡରୁ ବସଗୁଡିକୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ହୋଇ ଯିବା ପରିବର୍ତ୍ତେ ସତ୍ୟସାଇ ଛକରୁ ଦାରଗୋଡ଼ାହି ହୋଇ ଗମନାଗମନ କରିବେ । ସେପଟେ, ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ବିରୋଧ କରିଛି ଜେଏମଏମ । ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ଥିବା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ବଣ୍ଟନକୁ ସମାଲୋଚନା କରିଛି ଜେଏମଏମ । ଏହାକୁ ବିରୋଧ ସଦୃଶ ଦଳ ପକ୍ଷରୁ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳା ବ୍ୟାଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଦଳର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ସୂଚନା ଦେଇଛନ୍ତି ।