ଆପୋଲୋରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ହିପେକ୍ ଚିକିତ୍ସା

Mar 11, 2021 - 05:43
 230
ଆପୋଲୋରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ହିପେକ୍ ଚିକିତ୍ସା
ଭୁବନେଶ୍ବର (ସକାଳଖବର)୧୧ମାର୍ଚ୍ଚ୨୦୨୧: କର୍କଟ ଚିକିତ୍ସା କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ ଆପୋଲୋ କର୍କଟ କେନ୍ଦ୍ର ରାଜ୍ୟରେ ପ୍ରଥମ ଥର ପାଇଁ ହାଇପରଥର୍ମିକ ଇଣ୍ଟ୍ରାପେରିଟୋନିଆଲ କେମୋଥେରାପି (ହିପେକ୍)ର ସଫଳ ପ୍ରୟୋଗ କରିପାରିଛି । ଏହି ଅତ୍ୟାଧୁନିକ ଚିକିତ୍ସା ଆପୋଲୋ କର୍କଟ କେନ୍ଦ୍ରର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଓ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଅନକୋସର୍ଜରୀ ପରାପର୍ଶଦାତା ଡ଼ାକ୍ତର ସଲିଳ କୁମାର ପରିଡ଼ାଙ୍କ ଦ୍ୱାରା ଜଣେ ୫୨ ବର୍ଷ ବୟସ୍କା ମହିଳା ରୋଗୀଙ୍କ ଠାରେ ସଂପନ୍ନ ହୋଇଥିଲା । ୪ ବର୍ଷ ତଳେ ସଂପୃକ୍ତ ରୋଗୀ ଙ୍କଠାରେ ଆପେଣ୍ଡିସିଲ ମ୍ୟୁସିନସ୍ ନିଓପ୍ଲାଜମ୍ ଚିହ୍ନଟ କରାଯାଇଥିଲା ଏବଂ ୨୦୧୮ ମସିହା ଜୁଲାଇ ମାସରେ ଦିଲ୍ଲୀଠାରେ ହିପେକ୍ ସହ ସାଇଟୋରିଡ଼କ୍ଟିଭ ଅସ୍ତ୍ରୋପଚାର କରାଯାଇଥିଲା । ନିୟମିତ ଚିକିତ୍ସାରେ ଥିବା ସଂପୃକ୍ତ ରୋଗୀ ପେଟରେ କିଛି ସମସ୍ୟା ନେଇ କର୍କଟ ବିଶେଷଜ୍ଞ ଡାକ୍ତର ଚିନ୍ମୟ ପାଣିଙ୍କ ନିକଟକୁ ଆସିଥିଲେ । ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ସଂପୃକ୍ତ ରୋଗୀଙ୍କ ଟ୍ୟୁମର ପୁନଃ ସୃଷ୍ଟି ହୋଇଛି । ଫଳରେ ସେ ସଂପୃକ୍ତ ରୋଗୀଙ୍କୁ ଡାକ୍ତର ସଲିଳ କୁମାର ପରିଡ଼ାଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଏଠାରେ ହିପେକ୍ ବ୍ୟବସ୍ଥା ନଥିବାରୁ ସଂପୃକ୍ତ ରୋଗୀଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାର ସମ୍ଭାବନା ରହିଥିଲା । ଏପ୍ରକାର ପରିସ୍ଥିତିରେ ଅସ୍ତ୍ରୋପଚାର ନିମନ୍ତେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆବଶ୍ୟକ ଯନ୍ତ୍ର ନିର୍ଦ୍ଧାରିତ ସମୟରେ ଆଣିଥିଲେ ଏବଂ ଡାକ୍ତର ସଲିଳ କୁମାର ପରିଡ଼ା ନିଜ ସହାୟକଙ୍କ ସହ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ । ଏହି ଅସ୍ତ୍ରୋପଚାର ସମୟରେ ନିଶ୍ଚେତକ ଡାକ୍ତର ସିଦ୍ଧାର୍ଥ ମହାନ୍ତି ଓ ଡାକ୍ତର କାଦମ୍ବିନୀ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏକ ସପ୍ତାହ ପରେ ସଂପୃକ୍ତ ରୋଗୀଙ୍କୁ ଡ଼ାକ୍ତରଖାନାରୁ ଛାଡ଼ କରାଯାଇଥିଲା ଏବଂ ସେ ଏବେ ସୁସ୍ଥ ଅଛନ୍ତି । ହିପେକ୍ ଏକ ଅତ୍ୟାଧୁନିକ ଚିକିତ୍ସା ଶୈଳୀ ଯେଉଁଥିରେ ଏକ ସ୍ୱତନ୍ତ୍ର ମେସିନ ଉପଯୋଗ କରାଯାଇ କେମୋଥେରାପି ଉପାଦାନକୁ ପେଟ ମଧ୍ୟରେ ୪୨ ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ୯୦ ମିନିଟ୍ ପାଇଁ ପ୍ରୟୋଗ କରାଯାଇଥାଏ । ଏହି ପ୍ରକ୍ରିୟାରେ ଟ୍ୟୁମର ଟିସୁରେ ଔଷଧ ଉତ୍ତମ ଭାବେ କାର୍ଯ୍ୟ କରିଥାଏ । ଏହାକୁ ଉତ୍ତପ୍ତ କେମୋଥେରାପି ବୋଲି ମଧ୍ୟ କୁହାଯାଇଥାଏ । ଟ୍ୟୁମର ବାହାର କରାଯିବା ପରେ ଏହାର ପ୍ରୟୋଗ କରାଯାଇଥାଏ । ଆପେଣ୍ଟିକ୍ସ, ବୃହଦାନ୍ତ୍ର, ଜରାୟୁ ଓ ପାକସ୍ଥଳୀରେ ପରିବ୍ୟାପ୍ତ କର୍କଟ ଚିକିତ୍ସାରେ ଏହି କୌଶଳର ଉତ୍ତମ ପ୍ରୟୋଗ କରାଯାଇଥାଏ । ଏହି ଚିକିତ୍ସାର ଉପଯୋଗ ଦ୍ୱାରା ମୃତ୍ୟୁ ହାର ହ୍ରାସ କରାଯାଇପାରିବ ବୋଲି ଡାକ୍ତର ପରିଡ଼ା କହିଛନ୍ତି ।