ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ନବୀନ

Mar 10, 2021 - 07:55
 158
ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ନବୀନ
ନୂଆପଡ଼ା/ଭୁବନେଶ୍ବର (ସକାଳଖବର)୧୦ମାର୍ଚ୍ଚ୨୦୨୧: : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ ହେଲାଣି ଅପେକ୍ଷା କରିଥିଲେ। କୋଭିଡ୍ କଟକଣା ପରେ ପଶ୍ଚିମ ଓଡ଼ିଶାକୁ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଗସ୍ତ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୪ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ସାଢ଼େ ୯ଟାରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଜାହାଜରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ସ୍ଥାନକୁ ପହଞ୍ଚି ସେଠାରେ ପ୍ରଥମେ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ୨୦୦୦ ମସିହା ମଇ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଏହାପରେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇଛନ୍ତି । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ । ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ରହିଛି।ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୬ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ଟି ସ୍ଥାନରେ ବଡ଼ ପରଦା ଲଗାଯାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ହୋଇଛି।