ପାକିସ୍ତାନରେ ପେଟ୍ରୋଲ୍‌ ଲିଟର୍‌ ୨୭୨ ଟଙ୍କା ଓ ଡିଜେଲ୍‌ ଲିଟର୍‌ ୨୮୦ ଟଙ୍କା

Feb 16, 2023 - 06:35
 113
ପାକିସ୍ତାନରେ ପେଟ୍ରୋଲ୍‌ ଲିଟର୍‌ ୨୭୨ ଟଙ୍କା ଓ ଡିଜେଲ୍‌ ଲିଟର୍‌ ୨୮୦ ଟଙ୍କା
ଇସ୍‌ଲାମାବାଦ୍‌: ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍‌ ଲିଟର୍‌ପିଛା ୨୭୨ ଟଙ୍କା ଓ ଡିଜେଲ୍‌ ଲିଟର୍‌ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି। ପାକିସ୍ତାନ ନ୍ୟାସ୍‌ନାଲ୍‌ ଆସେମ୍ପ୍ଲିରେ ଶେହବାଜ୍‌ ସରିଫ୍‌ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍‌ (ମିନି ବଜେଟ୍‌) ଉପସ୍ଥାପନ କରିବାର ଅଳ୍ପ ସମୟ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ଜଟିଳ ଋଣ ପ୍ରକ୍ରିୟା ଉନ୍ମୁକ୍ତ କରିବା ଲାଗି ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’କୁ ସନ୍ତୁଷ୍ଟ କରିବା ଲାଗି ପାକିସ୍ତାନ ସରକାର ଇନ୍ଧନ ଦର ବୃଦ୍ଧି କରିଥିବା କଥା ‘ଜିଓ ନିଉଜ୍‌’ ରିପୋର୍ଟ କରିଛି। ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ ଜାରି ଫାଇନାନ୍ସ୍‌ ଡିଭିଜନ୍‌ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଳେଖ ଅଛି ଯେ, ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏଭଳି ଦର ବୃଦ୍ଧି ଘଟିଛି।