ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ,ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ
ବାରିପଦା, ୧୮/୨(ସକାଳଖବର): ଗତ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରା ନିକଟ ଗୋରୀପୁରାଠାରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ୍ ହୋଇଥିବା ଘଟଣାକୁ ତୀବ୍ର ନିନ୍ଦା କରି ସର୍ବଭÿାରତୀୟ ବ୍ୟବସାୟୀ ସଂଘ(ସିଏଆଇଟି) ପକ୍ଷରୁ ଦିଆଯାଇଥିବା ଦେଶ ବ୍ୟାପି ବନ୍ଦ ପାଳନର ଆହ୍ୱାନ ଓ ଓଡ଼ିଶା ବ୍ୟବସାୟୀ ମହାସଂଘର ନିଷ୍ପତି କ୍ରମେ ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ବାରିପଦା ସହରରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଦୋକାନ ବଜାର ଆଦିକୁ ବନ୍ଦ ରଖିଥିଲେ । ଘଟଣାର ପ୍ରତିବାଦ କରି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ପାଳନର ନିଷ୍ପତି ନିଆଯାଇଥିବା ବେଳେ ବାରିପଦା ବଣିକ ସଂଘ, ଲୁଗା ବ୍ୟବସାୟୀ ସଂଘ, ସୁନା ଓ ରୁପା ଅଳଙ୍କାର, ଉଠା ଦୋକାନୀ, ମୋବାଇଲ, ଜୋତା, ହାଡର଼୍ୱୟାର ସଂଘ ପ୍ରମୁଖ ଆଜି ସକାଳ ୬ରୁ ମଙ୍ଗଳବାର ପ୍ରାତଃ ୬ ପର୍ଯ୍ୟନ୍ତ ୨୪ ଘଂଟିଆ ବନ୍ଦ ପାଳନ କରିଥିଲେ । ଏହି ବନ୍ଦ୍ ରେ ମୟୂରଭଞ୍ଜ ଔଷଧ ବ୍ୟବସାୟୀ ସଂଘ ସାମିଲ ହୋଇ ସୋମବାର ପୂର୍ବାହ୍ନ ୧୦ରୁ ୧୧ ପର୍ଯ୍ୟନ୍ତ ୧ ଘଂଟା ଧରି ଔଷଧ ଦୋକାନଗୁଡ଼ିକୁ ବନ୍ଦ ରଖିଥିବା ବେଳେ ପେଟ୍ରୋଲ ପମ୍ପଗୁଡ଼ିକ ସକାଳ ୬ଟା ଠାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
ଏ ସମ୍ପର୍କରେ ମୟୂରଭଞ୍ଜ ଔଷଧ ବ୍ୟବସାୟୀ ସଂଘର ସମ୍ପାଦକ ସରୋଜ ସାହୁ, ସୁନା ଓ ରୂପା ଅଳଙ୍କାର ସଂଘର ସଭାପତି ଗଣେଶ ଚନ୍ଦ୍ର ଦାସ ଓ ଲୁଗା ବ୍ୟବସାୟ ସଂଘର ସମ୍ପାଦକ ସମ୍ବିତ ବସା କହିଛନ୍ତି ଯେ, ପୁଲୱାମାଠାରେ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିବା ସହିତ ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ବନ୍ଦ ପାଳନ କରୁଛୁ । ଏଥି ସହିତ ଏହାର ଦୃଢ଼ ପ୍ରତିବାଦ ମଧ୍ୟ କରୁଛୁ । ଆମେ ସମସ୍ତେ ଭାରତ ମା’ର ସନ୍ତାନ । ଆତଙ୍କି ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ଧୈର୍ଯ୍ୟ ବଢ଼ାଇବା ନିମନ୍ତେ କାନ୍ଧରେ କାନ୍ଧ ଓ ହାତରେ ହାତ ମିଶାଇ ଛିଡ଼ା ହେବା ନିମନ୍ତେ ନିଷ୍ପତି ନେଇଛୁ ବୋଲି କହିଥିଲେ ।