ଓଏମସିର ୧୦ ଖଣି ବନ୍ଦ: ବ୍ୟାପକ ରାଜସ୍ୱ ହାନି
କେନ୍ଦୁଝର,୧୮/୨(ସକାଳଖବର): ସରକାରଙ୍କ ଅପାରଦର୍ଶିତା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ରହିଥିବା ଓଡିଶା ଖଣି ନିଗମର ପ୍ରାୟ ୧୦ଟି ମୂଲ୍ୟବାନ ଖଣି ବନ୍ଦ ପଡିଛି । ଯାହା ମଧ୍ୟରେ ଲୁହା, ମାଙ୍ଗାନିଜ, କ୍ରୋମାଇଟ ଆଦି ଖଣି ରହିଛି । ଏହି ବନ୍ଦ ଖଣି ଖୋଲିବା ଦିଗରେ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁ ନଥିବାରୁ ବନ୍ଦ ଖଣି ଗୁଡିକ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି ।
ସବୁଠାରୁ ଅଧିକ ଖଣି ଯୋଡା ଖଣି ମଣ୍ଡଳ ଅଧିନରେ ରହିଥିବା ବେଳେ ବନ୍ଦ ପଡିଛି ୧୦ଟି ଖଣି । ବନ୍ଦ ଖଣି ମଧ୍ୟରେ ଖଣ୍ଡବନ୍ଧ ଖଣି, ଦୁବୁନା ଖଣି, ସାକ୍ରଡିହି, ଏସ.ଜି.ବି.କେ, ବି.ପି.ଜେ ଖଣି, ବାଂଶପାଣି, ତରିଙ୍ଗ ପାହାଡ, ମହାପର୍ବତ, ସେରେଣ୍ଡା, ବରପଦା କାଶିଆ ଖଣି ରହିଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି ବନ୍ଦ ଖଣ ଗୁଡିକୁ ଖୋଲିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ଏପରିକି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିକଟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାରେ ବିଳମ୍ବ କରାଯାଉଛି । ଯେଉଁଥି ପାଇଁ ବର୍ଷ ବର୍ଷ ଧରି ଖଣି ବନ୍ଦ ପଡି ରହୁଛି । ବିଭିନ୍ନ ବିଭାଗର ଅସହଯୋଗ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଶ୍ରମିକ ନେତା ମହେଶ୍ୱର ରାଉତ ଅଭିଯୋଗ କରିଛନ୍ତି । ଖଣି ବନ୍ଦ ଯୋଗୁଁ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ୱ ହାନି ହେଉଥିବା ବେଳେ କେବଳ ବଡବିଲ ଜୋନ୍ ରେ କାର୍ଯ୍ୟରତ ଥିବା ପ୍ରାୟ ୫ ଶହରୁ ଉଦ୍ଧ୍ୱର୍ ଅଧିକାରୀ ଏବଂ କର୍ମଚାରୀ ବସି ବସି ଦରମା ନେଉଛନ୍ତି । ଖଣି ବନ୍ଦ କାରଣରୁ ପ୍ରାୟ ୨ ହଜାରରୁ ଅଧିକ ଶ୍ରମିକ ପେଟ ବିକଳରେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛନ୍ତି । ଖଣି ବନ୍ଦ ଯୋଗୁଁ ବଡବିଲ ଜୋନର ୧୦ଟି ଖଣିର ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକଙ୍କ ଦରମା ବାବଦରେ ମାସକୁ ପ୍ରାୟ ୫କୋଟି ଟଙ୍କା କ୍ଷତି ସରକାରଙ୍କୁ ସହିବାକୁ ପଡୁଛି । ସେହିପରି ଦୀର୍ଘ ବର୍ଷ ହେଲା ଖଣି ବନ୍ଦ ରହିଥିଲେ ହେଁ ଓ.ଏମ.ସି ବାବୁମାନଙ୍କ ପାଇଁ ଗେଷ୍ଟହାଉସ ଓ ତାହାର ରକ୍ଷଣାବେକ୍ଷଣ ବାବଦକୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏହି ସବୁ ଖଣି ସଂସ୍ଥା ଗୁଡିକ କାର୍ଯ୍ୟକ୍ଷମ ହେଲେ ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବା ସହ ଦୁର୍ଦ୍ଧିନରେ ସଢୁଥିବା ଶ୍ରମିକମାନେ କାମ ଧନ୍ଦା ପାଇ ପାରିବେ । ମାତ୍ର ସରକାର ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ଘରୋଇ ଖଣି ଲିଜଧାରୀ ମାନେ ସ୍ୱାଭାବିକ ଭାବେ ଅଧିକ ଲାଭବାନ ହେଉଛନ୍ତି । ଜଙ୍ଗଲ ଓ ପରିବେଶୀୟ ଅନୁମତି ନଥିବାରୁ ଏହି ସବୁ ଖଣି ଚାଲିପାରୁନାହିଁ ।
କେନ୍ଦୁଝର ଜିଲାର କେନ୍ଦୁଝର ଓ ଯୋଡା ଖଣି ମଣ୍ଡଳ ଅଧିନରେ ଓ.ଏମ.ସିର ସବୁ ଖଣି ରହିଛି । ଏପଟେ ଓ.ଏମ.ସି.ର ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଧନ ଲୌହ ଖଣି, ଦୈ÷ତାରୀ ଲୌହ ଖଣି, ବଉଳା ଖଣି ବର୍ତମାନ ବି କାର୍ଯ୍ୟକ୍ଷମ ରହିଛି । ଏହି ସବୁ ଖଣି ମାନଙ୍କରେ ଉକୃଷ୍ଟ ମାନର ଲୁହା, ମାଙ୍ଗାନିଜ ଓ କ୍ରୋମାଇଟ ଖଣି ରହିଛି । ଅନ୍ୟପକ୍ଷରେ ଓ.ଏମ.ସି ନିଜେ ଖଣି କାର୍ଯ୍ୟ ନ କରି ଆଉଟସୋର୍ସିଂ ଦ୍ୱାରା ଖଣି କାର୍ଯ୍ୟ କରାଉଥିବାରୁ ଅଧିକ ଲାଭ ଠିକାଦାରମାନଙ୍କ ପକେଟକୁ ଚାଲିଯାଉଛିି ।