ଆଜି ରଥାରୂଢ ଠାକୁରଙ୍କୁ ଅଧର ପଣା ନୀତି

Jul 11, 2022 - 05:08
 53
ଆଜି ରଥାରୂଢ ଠାକୁରଙ୍କୁ ଅଧର ପଣା ନୀତି
ପୁରୀ: ସୋମବାର ଦ୍ୱାଦଶୀ ତିଥିରେ ରଥାରୂଢ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚାର ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ । କିମ୍ବଦନ୍ତୀ କହେ, ଉକ୍ତ ଭୋଗ ପଣା ରଥ ପାଶ୍ୱର୍ଦେବଦେବୀ, ଅଶରୀରୀ ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୁଏ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ସୋମବାର ରାତି ୮ଟାରେ ସମ୍ପନ୍ନ କରାଯିବାକୁ ଧାର୍ୟ୍ୟ ହୋଇଛି । ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯିବ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ । ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ପାରମ୍ପରିକ କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି କରି ଯୋଗାଇଥାନ୍ତି । ମଧ୍ୟାହ୍ନଧୂପ ବଢ଼ିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହେବ । ଅଧର ନୀତି ପାଇଁ ସକାଳ ୧୦ଟାରୁ ୧୦ଟା ୩୦ ଗୋପାବଲ୍ଲଭ, ୧୨ଟା ୩୦ସୁଦ୍ଧା ସକାଳଧୂପ, ଅପରାହ୍ନ ୧ଟାରେ ମଇଲମ, ସାଢେ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ ବଢି ୨ଟାରେ ବେଶଶେଷ ହେବ । ୩ଟା ୩୦ମିନିଟ୍‌ରୁ ୪ଟା ୩୦ମିନିଟ୍‌ ମଧ୍ୟରେ ମଧ୍ୟାହ୍ନ ଧୂପ ବଢିବ । ଏହାପରେ ଅଧରପଣା ପ୍ରସ୍ତୁତ ହୋଇ ରାତି ୮ଟାରେ ରଥାରୂଢ ଠାକୁରଙ୍କୁ ଭୋଗ ଳଲଗାଯିବ । ୯ଟାରେ ମହାସ୍ନାନ, ୧୦ଟା ସୁଦ୍ଧା ମଇଲମ ଓ ବେଶ ଶେଷ, ସନ୍ଧ୍ୟା ଆଳତି ୧୦ଟା ୩୦ମିନିଟ୍‌ରେ, ୧୨ଟା ସୁଦ୍ଧା ସନ୍ଧ୍ୟାଧୂପ, ସାଢେ ୧୨ରେ ମଇଲମ ଓ ଚନ୍ଦନଲାଗି, ସାଢେ ୧ଟାରେ ବଡ଼ସିଂହାର ବେଶ ଓ ଭୋଗ ଶେଷ ହୋଇ ରାତି ୨ଟାରେ ଠାକୁରଙ୍କ ପହୁଡ଼ ହେବ ।