ବଢୁଛି ଦରଦାମ, ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

Aug 4, 2022 - 05:57
 46
ବଢୁଛି ଦରଦାମ, ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ । ଦେଶରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ଅଗ୍ନିପଥ ଯୋଜନାରେ ଯୁବ ବର୍ଗଙ୍କୁ ଠକିବାକୁ ସରକାର ଯୋଜନା କରୁଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଜନ ମାରଣା ନୀତିରେ ରାଜ୍ୟ ଭାଗୁଆଳି ସାଜିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆସନ୍ତା ୫ରେ ରାଜ୍ୟବ୍ୟାପୀ କଂଗ୍ରେସର ଆନ୍ଦୋଳନପିସିସି ସଭାପତି କହିଛନ୍ତି, "୨୦୧୪ ମସିହାରେ ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଚ୍ଛେଦିନ”ର ସ୍ବପ୍ନ ଦେଖାଇଥିଲେ । ୮ବର୍ଷ ବିତିଗଲା “ଅଚ୍ଛେଦିନ”ପରିବର୍ତ୍ତେ ଭାରତର ଜନସାଧାରଣ ଦୁର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ବ ଆୟ କରିସାରିଛନ୍ତି । ’’‘‘ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି । କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ତରବରିଆ ଭାବେ ସରକାର ଜିଏସଟି ଲାଗୁ କଲେ । ସ୍ବପ୍ନ ଦେଖାଇଲେ ଜିଏସଟି ଦ୍ବାରା ଜିନିଷପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ, ଖାଉଟିମାନେ ଲାଭ ପାଇବେ । କିନ୍ତୁ ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୁଲିଲେ ନାହିଁ ।" ପିସିସି ସଭାପତି ଆହୁରି କହିଛନ୍ତି " ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ । ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ । କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ । ମୋଦି ସରକାର ପ୍ରତିବର୍ଷ ୨ କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲେ । ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତ୍ତେ ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ୨୨ କୋଟି ଶିକ୍ଷିତ ଯୁବକଯୁବତୀ ଏହି ୮ବର୍ଷ ଭିତରେ ସରକାରୀ ଚାକିରି ପାଇଁ ଆବେଦନ କରିଥିଲା ବେଳେ ମାତ୍ର ୭ ଲକ୍ଷ ୨୨ ହଜାରଙ୍କୁ ନିଯୁକ୍ତି ମିଳିଛି । ଠିକ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କଦ୍ବାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ସରକାର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛନ୍ତି । ପ୍ରତିରକ୍ଷାକୁ ଶକ୍ତିଶାଳୀ କରିବା ବଦଳରେ ମୋଦି ସରକାର ସେନାବାହିନୀରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ । ସେନାବାହିନୀରେ ସୌନିକ ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ ।"ଏହି ଘଟଣାକୁ ନେଇ ଆସନ୍ତା ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରିବ । ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଛନ୍ତି ।