ଆଇନଜୀବୀ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ

Sep 29, 2018 - 12:31
 184
ଆଇନଜୀବୀ ଓ ସାମ୍ବାଦିକଙ୍କୁ ପୋଲିସର  ଆକ୍ରମଣ
ପୁରୀ ୨୯/୯ (ସକାଳଖବର):ପୋଲିସ ଆକ୍ରୋଶରୁ ବର୍ତ୍ତି ନାହାଁନ୍ତି ସାଧାରଣ ଜନତା, ଆଇନଜୀବୀ ଓ ଗଣମଧ୍ୟମ ପ୍ରତିନିଧି। ନିଜର ପରିଚୟ ଦେଖାଇବା ପରେ ମଧ୍ୟ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛି ପୋଲିସ । ପୁରୀ ସହରରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଆକ୍ରମଣରେ ଦୁଇ ଜଣ ସାମ୍ବାଦିକ ଗୁରୁତର ହୋଇଛନ୍ତି ଓ ଅନେକ ସାଧାରଣ ଜନତା ଆହତ ହୋଇଛନ୍ତି। ପୁରୀ ମେଡିକାଲ ଛକ ଖୁଂଟିଆ ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରିତ ହେଉଥିବା ସହ ପରିମାଣ କମ କରି ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ଗ୍ରାହକ ଜଣକ ପୁନର୍ବାର ସେହି ପେଟ୍ରୋଲ ପମ୍ପକୁ ଯାଇଥିଲେ। ମୂଲ୍ୟ ଠିକ୍ ନେଉଥିବାବେଳେ ଅଳ୍ପ ପରିମାଣର ତେଲ ଦେଉଥିବା ନେଇ ଗ୍ରାହକ ଜଣକ ଉତ୍ୟକ୍ତ ହେବା ସହ କିଛି ଲୋକଙ୍କ ସହ ମିଶି ପେଟ୍ରୋଲ ପମ୍ପକୁ ଭଂଗାରୁଜା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ପୋଲିସର ଆକ୍ରୋଶର ଶିକାର ହୋଇଥିଲେ । ରକ୍ତମୁଖା ପୋଲିସ ସାମ୍ବାଦିକଙ୍କ ପରିଚୟ ପତ୍ରକୁ ଫୋପାଡିବା ସହ ସେମାନଙ୍କ ସହ କିଛି ସ୍ଥାନୀୟ ଲୋକ ଓ ଆଇନଜୀବୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସର ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ସାମ୍ବାଦିକ ଗୁରୁତର ହୋଇଥିଲେ। ଅନ୍ୟପକ୍ଷେ ସେଠାରେ ଥିବା କିଛି ସାଧାରଣ ଲୋକଙ୍କ ସହ ଆଇନଜୀବୀଙ୍କ ଉପରେ ମଧ୍ୟ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁରୀ ଏସପି ସାର୍ଥକ ଷଡଙ୍ଗୀ ପହଞ୍ଚିଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପରେ ଏସପିଙ୍କ କାର୍ୟ୍ୟକଳାପ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବାଦିକଙ୍କୁ ପୁଲିସର ଲାଠି ଚାର୍ଜକୁ ବିରୋଧ କରି ଶନିବାର ପୁରୀ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ କାର୍ୟ୍ୟରତ ସମ୍ବାଦିକମାନେ ଧାରଣାରେ ବସିଛନ୍ତି ।