ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ

Sep 29, 2018 - 12:39
 182
ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ୱର ୨୯/୯ (ସକାଳଖବର): : ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ହଟିଛନ୍ତି ସସ୍ମିତା ବେହେରା । ତାଙ୍କ ସ୍ଥାନ ନେଇଛନ୍ତି ସୁମିତ୍ରା ଜେନା । ଏଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ବିଭୁ ପ୍ରସାଦ ତରାଇକୁ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ, ଜଗନ୍ନାଥ ପଟ୍ଟନାୟକଙ୍କୁ କାର୍ୟ୍ୟକାରୀ କମିଟି ସଭ୍ୟ, କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ସସ୍ମିତା ବେହେରାଙ୍କୁ ପିସିସି ଉପସଭାପତି କରାଯିବା ପରେ ଖୁବଶୀଘ୍ର ମହିଳା କଂଗ୍ରେସ ଟିମ୍ ଘୋଷଣା ହେବବୋଲି ଚର୍ଚ୍ଚା ହୋଇଆସୁଥିଲା। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ସସ୍ମିତାଙ୍କୁ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ହଟାଇବାକୁ ଚାହିଁଥିଲେ । ତେବେ ସସ୍ମିତା ଅରାଜି ହୋଇଥିବା ଜାଣିବାକୁ ମିଳିଥିଲା । ଏମିତିକି ତାଙ୍କୁ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲେ ମଧ୍ୟ ରୋକଠୋକ ମନା କରିଦେଇଥିଲେ । ପିସିସି ସହ ଏହାର କୌଣସି ସମ୍ପର୍କ ନାହିଁ । ଯଦି ତାଙ୍କୁ ମହିଳା ସଭାନେତ୍ରୀ ପଦରୁ ହଟାଇବାକୁ ଚାହୁଁଥା’ନ୍ତି ତେବେ ଏଆଇସିସିରୁ ନିଦେ୍ର୍ଧଶ ଆଣିବାକୁ ରୋକଠୋକ ଭାବେ କହିଥିଲେ ସସ୍ମିତା । ଫଳରେ ସସ୍ମିତା ହଟିବେକି ନାହିଁ ସେନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ପର୍ୟ୍ୟାଲୋଚନା ଜାରି ରହିଥିଲା । ପିସିସିର ନୂତନ ଟିମରେ ସସ୍ମିତାଙ୍କୁ ଏଆଇସିସି ପିସିସିର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି । ଅର୍ଥାତ ମହିଳା କଂଗ୍ରେସ ସଭାନେତ୍ରୀ ପରିବର୍ତନ ନେଇ କିଛି କୁହାଯାଇନଥିଲେ ମଧ୍ୟ ସସ୍ମିତା ହଟି ସାରିଛନ୍ତି ବୋଲି କୁହାଯାଉଥିଲା । ସସ୍ମିତାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ ମହିଳା ସଭାନେତ୍ରୀ କରିବାକୁ ପିସିସି ପକ୍ଷରୁ ଯୋଜନା କରାଯାଇଥିଲା । ବିଜୟଲକ୍ଷ୍ମୀ ସାହୁ ମହିଳା କଂଗ୍ରେସ ସଭାନେତ୍ରୀ ଥିବାବେଳେ ସୁମିତ୍ରା ଜେନା ସାଧାରଣ ସମ୍ପାଦକ ଭାବେ କାର୍ୟ୍ୟ କରୁଥିଲେ । ନିମାପଡ଼ା-ପିପିଲିର ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତିଙ୍କର ଝିଅ ସୁମିତ୍ରା ଜେନା ରାଜ୍ୟ କଂଗ୍ରେସର ଜଣେ ଆଗଧାଡ଼ିର ମହିଳା ନେତ୍ରୀ ଭାବେ ପରିଚିତ ।