ଆଇଏଏସସ୍ତରରେ ଅଦଳବଦଳ କଲେ ସରକାର

Apr 3, 2022 - 06:18
 55
ଆଇଏଏସସ୍ତରରେ ଅଦଳବଦଳ କଲେ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ନିକଟରେ ଓଏଏସସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଏବେ ଆଇଏଏସସ୍ତରରେ ଅଦଳବଦଳ ପାୱାର କରିଡ଼ରରେ ଚର୍ଚ୍ଚା ସୃଷ୍ଟିକରିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ନିକୁଞ୍ଜ କିଶୋର ସୁନ୍ଦରାୟଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ଅତିରିକ୍ତ ଭାବେ ସେ ପୂର୍ବଭଳି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ଏହାଛଡ଼ା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ସେ ନିର୍ବାହ କରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ାଙ୍କୁ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଓ କୃଷି ବିପଣନ ବୋଡର଼୍ର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ମାଇନର ମିନେରାଲସର ନିର୍ଦ୍ଦେଶକ ଶୁଭମ ସାକସେନାଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାକସେନା ମଧ୍ୟ ଅତିରିକ୍ତ ଭାବେ ମାଇନର ମିନେରାଲ୍ସର ନିର୍ଦ୍ଦେଶକ, କୃଷି ବିଭାଗର ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱରେ ରହିବେ । ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ବରିଷ୍ଠ ପ୍ରଶାସକଙ୍କୁ ମୁଖ୍ୟ ପ୍ରଶାସକ ଭାବେ ସ୍ଥାୟୀ ନିଯୁକ୍ତି ଦେବେବୋଲି ଚର୍ଚ୍ଚା ହେଉଥିଲା ।