ଅବକାରୀ ବିଭାଗର ଚଢ଼ାଉ, ୭ ଗିରଫ
ଅନୁଗୋଳ, ୨୫/୧୧(ସକାଳଖବର): ଅନୁଗୋଳ ଜିଲା ପୁରୁଣାଗଡ଼ ଚନ୍ଦନପୁର ସାରୁଆଳିରେ ଗତ ବୁଧବାର ଦୁଇ ମହିଳାଙ୍କ ମଦ୍ୟପାନ ଜନିତ ମୃତ୍ୟୁ ହେବା ଅଭିଯୋଗ ଆସିବା ପରେ ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ବିଭାଗୀୟ ଅଧିକାରୀମାନେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଆରମ୍ଭ କରିଦେଇଛନ୍ତି । କେବଳ ଗତ ୩ ଦିନ ମଧ୍ୟରେ ଅନୁଗୋଳର ବିଭିନ୍ନ ସ୍ଥାନରୁ ବେଆଇନ ମଦ ବିକ୍ରି ଅଭିଯୋଗରେ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥିରେ ପ୍ରାୟ ୧୫୦ ଲିଟରରୁ ଉଦ୍ଧ୍ୱର୍ ଦେଶୀ ମଦ ଜବତ କରାଯାଇଥିବା ଅବକାରୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ମଦମୃତ୍ୟୁ ନେଇ ଅଭିଯୋଗ ଆସିବା ପରେ ପୋଲିସ ପ୍ରଥମେ ପୁରୁଣାଗଡ଼ ଅଞ୍ଚଳରେ ଚଢ଼ାଉ କରିଥିଲେ ହେଁ ଖାଲି ହାତରେ ଫେରିଥିଲେ । ପରେ ପୁରୁଣାକୋଟ ଅଞ୍ଚଳରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ୩୦ ଲିଟର ପୋଚ ଜବତ କରାଯାଇଥିଲା । ,ହା ପରେ ବନ୍ତଳା, ଅନୁଗୋଳ ଓ ନାଲକୋ ଥାନା ଅଞ୍ଚଳରେ ଦେଶୀ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଅନୁଗୋଳ ଥାନା ଅନ୍ତର୍ଗତ ନୂଆମୌଜା ଅଞ୍ଚଳର କୌଶଲ୍ୟ ପ୍ରଧାନ (୪୦), ଖମାରର ଅରବିନ୍ଦ ନାଏକ (୩୧), ଘୁଚାପାଳର ବିଜୟ ନାଏକ (୬୨) ସିତରାସାହିର କୁନା ରାଉତ (୩୨), ନାଲକୋ ଥାନା ନାଲକୋ ହଟିଙ୍ଗର ସୁହାଦ ହାଂସଦା(୬୦), ସିପିପି ହଟିଙ୍ଗର ସୁମିତ୍ରା ହେମ୍ବ୍ରମ (୩୫) ସେମାନଙ୍କଠାରୁ ମଦରନ୍ଧା ସାମଗ୍ରୀ ଦେଶୀ ମଦ, ମହୁଲି ପ୍ରଭୃତି ଜବତ କରିଥିବା ମଧ୍ୟ ବିଭାଗୀୟ ଅଧିକାରୀମାନେ କହିଛନ୍ତି । ଜିଲାର ଅନ୍ୟସ୍ଥାନରେ ଚଢ଼ାଉ ଜାରି ଥିବା ନାୟକ ସୂଚନା ଦେଇଛନ୍ତି ।