ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି - ବିଜେପି

Apr 5, 2019 - 04:43
 131
ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି  - ବିଜେପି
ଭୁବନେଶ୍ୱର, ୦୪/୪(ସକାଳଖବର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଏବେ ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ବାଧକ ସାଜୁଛନ୍ତି ପାଣ୍ଡିୟାନ ଓ ତାଙ୍କ ଟିମ୍ । ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପ୍ରଭେଦ ଜାଣିପାରୁ ନାହାଁନ୍ତି । ଖାଲି ସେତିକି ନୁହେଁ ଭି.କେ ପାଣ୍ଡିଆନ ଖଣି ମାଫିଆ, ଦୁର୍ନୀତିଗସ୍ତ ଲୋକ, ଠିକାଦାର ଏବଂ ଅନେକ କର୍ପୋରେଟ ସେକ୍ଟରରୁ ଚାନ୍ଦା ଆଦାୟ କରିଛନ୍ତି । ଏହି ଟଙ୍କା ସବୁ ବିଜେଡିର ନିର୍ବାଚନ ଖର୍ଚ୍ଚ ହେଉଛି । ବିଜେଡିର ଟିକେଟ ଫାଇନାଲ କରିବାର ମୁଖ୍ୟ ଭୂମିକା ପାଣ୍ଡିଆନଙ୍କର ରହିଛି । ଏବେ ପାଣ୍ଡିଆନ ଜିଲ୍ଲାପାଳ, ଏସପି, ଡିଆଇଜି, ଆରଡିସି, ତହସିଲଦାର, ବିଡିଓ, ସିଡିପିଓ ଏବଂ ଅନ୍ୟ ସରକାରୀ ଅଫିସରମାନଙ୍କୁ ଧମକ ଦେବା ସହ ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ କାର୍ଯ୍ୟ କରିବାକୁ କହୁଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗଂଜାମ, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ବିଜେଡି ଦଳକୁ ଜିତାଇବା ପାଇଁ କାର୍ଯ୍ୟ କରିବାକୁ ପାଣ୍ଡିଆନ ଧମକ ଦେଇଛନ୍ତି । ବିଜେଡି ଦଳ ବିଜୟୀ ହେଲେ ସଂପୃକ୍ତ ଅଫିସରମାନଙ୍କୁ ପୁରସ୍କାର ଦେବା ସହ ପ୍ରମୋସନ କରାଯିବ ବୋଲି କୁହାଯାଇଛି । ସେହିପରି ବିଜେଡି ଦଳକୁ ଜିତାଇବା ପାଇଁ ପାଣ୍ଡିଆନ ଏସଏଚଜି ଗ୍ରୁପଗୁଡିକୁ ନିଦେ୍ର୍ଧଶ ଦେଇଛନ୍ତି । ସିଡିପିଓଙ୍କ ନିଦେ୍ର୍ଧଶରେ ଏସଏଚଜି ଗ୍ରୁପର ମେମ୍ବର ମାନଙ୍କୁ ଟଙ୍କା, ଶାଢୀ ସମେତ ଗହଣା ବଂଟାଯାଉଛି । ଜଣେ ସରକାରୀ ଅଧିକାରୀ ହୋଇ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ପାଣ୍ଡିଆନଙ୍କ ବିରୁଦ୍ଧରେ ଧାରା ୧୨୯ , ଆକ୍ଟ୧୯୫୧ ଅନୁଯାୟୀ ଆଇନତଃ ଅପରାଧ । ଗୁଇନ୍ଦା ବିଭାଗର ଡିଆଇଜି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟୀତ୍ୱରେ ଥିବା ଆଶିଷ ସିଂ ମଧ୍ୟ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଶ୍ରୀ ସିଂହ ପୂର୍ବରୁ ଗଂଜାମ ଏସପି ଭାବେ କାର୍ଯ୍ୟ କରୁଥିଲେ । ଗଂଜାମ , ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବୌଦ୍ଧ ଓ କଳାହାଣ୍ଡି ପାଇଁ ପୋଲିସ ଅଫିସରମାନଙ୍କୁ ନିଯୁକ୍ତି ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆଶିଷ ସିଂହ । ଏବେ ଏହି ଜିଲ୍ଲା ଗୁଡିକରେ ବିଜେଡିକୁ ଜିତାଇବା ପାଇଁ ଆଶିଷ ସିଂହ ସଂପୃକ୍ତ ପୋଲିସ ଅଫିସରମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବ୍ରହ୍ମପୁର ସାଇବର ସେଲର ପୋଲିସ ଇନ୍ସପେକ୍ଟର ସୁରେଶ ତ୍ରିପାଠୀ ୭ ବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଏଏସଆଇ ରବିନ୍ଦ୍ର ନାଥ ସାମନ୍ତରାୟ ସିଏସଆଇ ସଦର କୋର୍ଟରେ ୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ବିଜେଡି ଦଳ ପ୍ରତି ଆନୁଗତ ଥିବା ଅଫିସରମାନଙ୍କୁ ଆଶିଷ ସିଂହ ଏହି ସମସ୍ତ ଜିଲ୍ଲାକୁ ପଠାଇଛନ୍ତି । ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ପ୍ରତିନିଧୀ ଦଳ ଦାବି କରିଛି ।