ସଂଗଠିତ ହେଲେ, ରାସ୍ତା ମରାମତି କଲେ

Oct 17, 2018 - 05:53
 172
ସଂଗଠିତ ହେଲେ, ରାସ୍ତା ମରାମତି କଲେ
ଅନୁଗୋଳ୧୬/୧୦ (ସକାଳଖବର): ଆଜି ପବିତ୍ର ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା ଏବଂ ଭାଇଜୀଉତିଆ ପର୍ବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ମାଓ ଉପଦ୍ରବ ଉପାନ୍ତ ଅଞ୍ଚଳ ଅଠଳାବେରେଣୀ, ଚାରିଖମଣ ଏବଂ ପୁରୁଣାପାଣିର ଅଧିବାସୀମାନେ । ବାରମ୍ବାର ସ୍ଥାନୀୟ ନେତୃବୃନ୍ଦ, ପ୍ରଶାସନକୁ ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଥକି ପଡ଼ିଥିବା ଏହି ୩ଟି ବନାଞ୍ଚଳ ଅଧିବାସୀର ଆବାଳ ବୃଦ୍ଧ ବନିତା ଆଜି ସଂଗଠିତ ହୋଇ ଆଉ ଗୁହାରି କରିବୁନି ସରକାରକୁ, ଅପନାହାତ ଜଗନ୍ନାଥ ଡ଼ାକରା ଦେଇଛନ୍ତି । ଅଂଳାବେରେଣୀ-ଚାରଖମଣ ୫ କିମି ଦୂର୍ଗମ ପଞ୍ଚାୟତ ରାସ୍ତାର ନିର୍ମାଣ ଆରମ୍ଭ କରିଛନ୍ତି । ଏ ପ୍ରୟାସ ଜାରି ରହିବ ବୋଲି ଗ୍ରାମବାସୀ ମଣମାଧ୍ୟମକୁ କହିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତର ଅଁଳାବେରେଣୀ-ଚାରିଖମଣ ରାସ୍ତାରେ ସ୍ୱାଧିନତାର ୭୧ ବର୍ଷ ପରେ ମଧ୍ୟ ମାଟି ମୁଠାଏ ପଡ଼ିନାହିଁ । ଚାଲିବା ଉପଯୁକ୍ତ ନଥିବା ଏହି ରାସ୍ତାର ନିର୍ମାଣ ପାଇଁ ଅଁଳାବେରେଣୀ, ଚାରିଖମଣ ଏବଂ ପୁରୁଣାପାଣି ଅଧିବାସୀ ସ୍ଥାନୀୟ ପ୍ରଶାସନନିର୍ବାଚିତ ପ୍ରତିନିଧି ଏବଂ ଆଠମଲ୍ଲିକ ବିଧାୟକଙ୍କ ପାଖରେ ଆପତ୍ତି କରିଥିଲେ । କେବଳ ପ୍ରତିଶୃତି ଛଡ଼ା କିଛି ମିଳିନଥିଲା ଗ୍ରାମବାସୀଙ୍କୁ । ଆଜି ୩ଟି ଗ୍ରାମର ଗ୍ରାମବାସୀମାନେ ଅଁଳାବେରେଣୀ ଗ୍ରାମର ସଭାପତି ବାନାମ୍ବର ସାହୁ, ଗ୍ରାମ ମୁଖିଆ ଦିଗାମ୍ବର ସାହୁ, ଧୃବଚରଣ ସାହୁ, ମାନସ ଦେହୁରୀ ଚାରଖମଣ ଗ୍ରାମର ରାମଚନ୍ଦ୍ର ମାଝି, ତ୍ରିଲୋଚନ ମାଝି, ଡ଼ମ୍ବରୁ ମାଝି ଏବଂ ପ୍ରଭାତୀ ସେଠୀଙ୍କ ନେତୃତ୍ୱରେ ଏକାଠି ହୋଇ କଦଯ୍ୟ ୫କି.ମି, ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଉପାନ୍ତ ଅଞ୍ଚଳ ଅଧିବାସୀଙ୍କ ଏହି ସଂଗଠିତ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଁଳାବେରେଣୀ-ହିଜିଂରିଡ଼ା ୮ କିମି. ରାସ୍ତାକୁ ବିଜୁ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ହୋଇଛି ।,