ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ

Jul 21, 2022 - 05:57
 47
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ବ୍ୟୟ ମଞ୍ଜୁର ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ସାମ୍ପ୍ରଦାୟିକ ଦଙ୍ଗାରୁ ମୁକ୍ତ ରହିଛି। ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସହିତ ସମବାୟ ନିର୍ବାଚନ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସେହିପରି ଦୁଇବର୍ଷ ପରେ ଚଳିତବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ହେଁ ପୁଲିସ ପ୍ରଶାସନର ସୁବ୍ୟବସ୍ଥା ଯୋଗୁଁ ନିର୍ବିଘ୍ନରେ ସମ୍ପନ୍ନ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରୁ ରାଜ୍ୟରେ ମାଓ ଉପଦ୍ରବ ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡ଼ିଛି। ରାଜ୍ୟରେ ପୁଲିସ ପ୍ରଶାସନକୁ ସଶକ୍ତ କରିବା ପାଇଁ ବିଭିନ୍ନ ବର୍ଗର ୯୪୪ ପଦ ସୃଷ୍ଟି କରାଯାଇଛି। ଏହାସହିତ ଆଇନଶୃଙ୍ଖଳା ରକ୍ଷା ଲାଗି ସାଇବର ଅପରାଧ ଶାଖା ଓ ଅର୍ଥନୈତିକ ଅପରାଧ ଶାଖା କାର୍ୟ୍ୟ କରୁଛନ୍ତି। କାରାଗାର ଓ ଅଗ୍ନିଶମ ସେବାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୧୭୩୦ ଏସଆଇ ଏବଂ ଏଏସଆଇ ପଦ ପୂରଣ ଲାଗି ପ୍ରକ୍ରିୟା ଜାରି ରହିଛି। ୨୮ ପୁଲିସ ଫାଣ୍ଡି ଲାଗି ୨୦୦ ନୂତନ ପଦ ସୃଷ୍ଟି କରାଯାଇଥିବାବେଳେ ତିନୋଟି ସୁରକ୍ଷା କମ୍ପାନୀ(ଥ୍ରି-ଆଇଆର ବାଟାଲିଆନ୍) ସୃଷ୍ଟି କରାଯିବାକୁ ରହିଛି। ଯେଉଁଥିରେ କି ୬୬୩ଜଣ ନିଯୁକ୍ତ ହେବେ। ବନ୍ଦୀଙ୍କ ହିତକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ସୁଦୃଢ଼ କରାଯିବା ଲାଗି କାରାଗାର ବିକାଶ ପରିଷଦ ଗଠନ କରାଯାଇଛି। ବନ୍ଦୀଙ୍କ ଦୈନିକ ମଜୁରି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ମହିଳା, ଶିଶୁଙ୍କ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିମଧ୍ୟରେ ମାନବଚାଲାଣ ନିରୋଧ ୟୁନିଟ୍, ମହିଳା ଅପରାଧ ତଦନ୍ତ ୟୁନିଟ୍, ମହିଳା ଓ ଶିଶୁ ଡେସ୍କ କାର୍ୟ୍ୟ କରୁଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଗୁରୁତର ଅପରାଧ ମାମଲାର ତ୍ବରିତ ବିଚାର ଲାଗି ମାମଲାକୁ ‘ରେଡ ଫ୍ଲାଗ୍‌ କେସ୍’ ଘୋଷଣା ସହିତ ସ୍ବତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ଭଳି ପଦକ୍ଷେପ ନିଆଯାଇଛି। ସବୁ ଥାନାକୁ ନିୟନ୍ତ୍ରଣ ଲାଗି ସିସିଟିଭି ବ୍ୟବସ୍ଥା କରାଯିବାକୁ ରହିଥିବାବେଳେ ଇତିମଧ୍ୟରେ ରାଜ୍ୟରେ ୫୯୩ ଥାନା ମଧ୍ୟରୁ ୫୮୪ଟିରେ ସିସିଟିଭି କ୍ୟାମେରା ଲାଗି ସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଥାନାକୁ ‘ମୋ ସରକାର’ରେ ସାମିଲ କରାଯାଇଛି, ଯଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ରହିବ। ଇତିମଧ୍ୟରେ ‘ମୋ ସରକାର’ ଜରିଆରେ ୭୮ହଜାର ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା। ସେଥିରୁ ୯୦ପ୍ରତିଶତ ଲୋକ ସରକାରଙ୍କ ସ୍ବଚ୍ଛ ଶାସନକୁ ଭଲ ମାର୍କ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତବର୍ଷ ଲୋକାୟୁକ୍ତରେ ୭୭୫ ମାମଲା ରୁଜୁ ହୋଇଥିବାବେଳେ ୪୯୯ଟିର ଶୁଣାଣି ହେବା ସହିତ ସମାପ୍ତ ହୋଇଛି। ଏହି ସମୟ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ୪୭୫ଜଣଙ୍କ ନାମରେ ୨୬୭ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ୩୭୩ଜଣ ସରକାରୀ ଚାକିରିଆଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୨୭୨ଜଣ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।