ରାଜଧାନୀରେ ଜଳ ନିଷ୍କାସନ ଚିନ୍ତା

Jul 24, 2018 - 15:22
 142
ଭୁବନେଶ୍ୱର,୨୪/୭ (ସକାଳଖବର): ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ପ୍ରାକୃତିକ ନାଳକୁ ଜବରଦଖଲ କରି ହୋଇଥିବା ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରାଯିବ । ସମ୍ପୃକ୍ତ ଜବରଦଖଲକାରୀ ମାନଙ୍କୁ ସର୍ବକ୍ଷମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ବର୍ଷା ଦିନରେ ଭୁବନେଶ୍ୱର ସହରରେ ସୃଷ୍ଟି ହେଉଥିବା କୃତି୍ରମ ବନ୍ୟାର ପ୍ରତିକାର ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ମେୟରଙ୍କ ସମେତ କର୍ପୋରେଟର , ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ନାଗରିକ କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ ଏହି ଜବରଦଖଲ ହୋଇଥିବା ନିର୍ମାଣକୁ ଭାଙ୍ଗିବା ପାଇଁ ଦରକାର ପଡିଲେ ଆଇନ୍ ର ସହାୟତା ନିଆଯିବ । ଅପରପକ୍ଷରେ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ କ୍ଷେତ୍ର ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ଷକ ଭିତରେ ଏହି ଜବରଦଖଲ ହଟାଯିବ । ବର୍ତମାନ ରାଜଧାନୀରେ ୧୦ରୁ ୧୨ ଟି ସମ୍ବେଦନଶୀଳସ୍ଥାନ ଚିହ୍ନଟ କରାଯାଇଛି । ଗଙ୍ଗୁଆ ନାଳର ପ୍ରଶସ୍ତିକରଣ କରାଯିବ ବୋଲି ମେୟର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।