କଅଁଳ ଶିଶୁଙ୍କୁ ଚେଙ୍କ

Jul 24, 2018 - 15:20
 131
ନୂଆପଡ଼ା, ୨୩/୭ (ସକାଳଖବର): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୮କି.ମି. ଦୂରତାରେ ରହିଛି ଡୁଆଝର ଗାଁ । ଏହି ଡୁଆଝର ଗାଁର ଖାଡ଼ିଆପଡ଼ାରେ ରହନ୍ତି ବେଦବର ରାଉତଙ୍କ ପରିବାର । ପରିବାରରେ ତାଙ୍କ ପତ୍ନୀ ଶୁଶିଲା ରାଉତଙ୍କ ସମେତ ତିନିବର୍ଷର ପୁଅ ଓ ଦୁଇ ମାସର ନବଜନ୍ମିତ ଜାଆଁଳା ୨ ଶିଶୁକନ୍ୟା । ଗତ ଦୁଇମାସ ତଳେ ପତ୍ନୀ ଶୁଶିଲା ରାଉତ ଖଡ଼ିଆଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଜାଆଁଳା ଦୁଇଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ଜନ୍ମପରେ ଦୁଇ ଶିଶୁକନ୍ୟା ଅପପୃଷ୍ଟିର ଶୀକାର ହୋଇଥିଲେ । ଗତ ସପ୍ତାହତଳେ ବେଦବର ରାଉତଙ୍କ ନବଜାତ ଦୁଇ ମାସର ଜାଆଁଳା ୨ ଶିଶୁକନ୍ୟାଙ୍କ ପେଟ ଫୁଲିବା ସହ ଜ୍ୱର ହୋଇଥିଲା । ହେଲେ ସଚେତନତା ଅଭାବରୁ ଅନ୍ଧବିଶ୍ୱାସର ବସବର୍ତି ହୋଇ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ପରିବର୍ତେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମର ଜଣେ ମହିଳା ଦିସାରୀଙ୍କ ନିକଟକୁ ନେଇ ପେଟରେ ଲୁହା କଂଟା ମାଧ୍ୟମରେ ଚେଙ୍କ ଦେଇଛନ୍ତି । ଯାହାଫଳରେ ଦୁଇ ଶିଶୁକନ୍ୟା ଚିକିତ୍ସା ଅଭାବରୁ ଗୁରୁତର ହୋଇପଡ଼ିଛନ୍ତି । ଏହାପୂର୍ବରୁ ମଧ୍ୟ ବେଦବରଙ୍କ ଗୋଟିଏ ନବଜାତ ଶିଶୁକନ୍ୟା କଳାଛିରାରେ ଆକ୍ରାନ୍ତ ହୋଇ ପେଟଫୁଲିବା ଦ୍ୱାରା ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତୁ୍ୟବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାର ଗ୍ରାମାଂଚଳରେ ବସବାସ କରି ଆସୁଥିବା ଲୋକଙ୍କ ମଧ୍ୟରେ ସଚେତନ ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତି ହୋଇ କଳାଛିରା ନାଁରେ ପେଟରେ ଚେଙ୍କଦେଇ ନବଜାତ ଶିଶୁମାନଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି । ଖଡ଼ିଆଳ ବ୍ଲକ ଡୁଆଝର ଗାଁର ବେଦବର ରାଉତଙ୍କ ୨ ମାସର ଜାଆଁଳା ଦୁଇ ଶିଶୁକନ୍ୟାକୁ ଦିସାରୀ ଦ୍ୱାରା ଚେଙ୍କ ଦେବା ଦ୍ୱାରା ଗୋଟିଏ ସପ୍ତାହ ହେଲା ବିଛଣାରେ ପଡ଼ିରହି ଛଟପଟ ହେଉଛନ୍ତି । ଅନ୍ୟପକ୍ଷରେ ଜାଆଁଳା ଶିଶୁକନ୍ୟାଙ୍କ ଚିକିତ୍ସା ଅଭାବରୁ ତାଙ୍କର ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି । ଅପରପକ୍ଷେ ଏନେଇ ଡୁଆଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ରିତେଶ କୁମାର ପଣ୍ଡାଙ୍କୁ ପଚାରିବାରୁ ଜାଆଁଳା ଶିଶୁକନ୍ୟାଙ୍କୁ ଚେଙ୍କ ଦେଇଥିବା ନେଇ ସେ ଜାଣିନଥିବା କହିଥିବାବେଳେ ଶିଶୁମାନଙ୍କୁ ଦିସାରୀ ଦ୍ୱାରା ଚେଙ୍କ ନଦେଇ ଉପଯୁକ୍ତ ଚିକିସôା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପ୍ରତି ଗ୍ରାମକୁ ସଚେତନତା କରିବାର ଆବଶ୍ୟକତା ରହିଛି । ନଚେତ ଅନେକ କଅଁଳ ଶିଶୁଙ୍କ ଜୀବନ ଚାଳିଯିବ ଏଥିରେ ଦ୍ୱିମତ ନାହିଁ ।