ମହାଗଠବନ୍ଧନରେ ୭ ପାର୍ଟି, କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

Aug 9, 2022 - 15:53
 50
ମହାଗଠବନ୍ଧନରେ ୭ ପାର୍ଟି, କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
ପାଟନା: ବିଜେପି ଠାରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ଏହାପରେ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ବୈଠକ କରିଛନ୍ତି। ଏଥିସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଆସନ୍ତାକାଲି ସେ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ତାଙ୍କ ଡେପୁଟି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଅପରାହ୍ନ ୪ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସକୁ ୩ଟି ମନ୍ତ୍ରୀ ପଦ ମିଳିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି। ବିଜେପି ଠାରୁ ଅଲଗା ହୋଇ ନୀତୀଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ କଂଗ୍ରେସ ଓ ବାମଦଳ ରହିଛନ୍ତି।