ଭଦ୍ରକ ମାଟିର ପୁତ୍ର ଟୋକିଓ ଅଲମ୍ପିକ୍ ହକି ଟିମ୍ର ମେଡ଼ିକାଲ ଅଫିସର

Sep 12, 2019 - 17:56
 169
ଭଦ୍ରକ, ୧୨/୯(ସକାଳଖବର): ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବ କ୍ରୀଡ଼ାର ମହାକୁମ୍ଭ ୨୦୨୦ ଅଲମ୍ପିକ ପ୍ରତିଯୋଗିତା । ଏହି ଆର୍ନ୍ତଜାତିକ ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ତେବେ ଏହି କ୍ରୀଡ଼ାର ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ହକି ପ୍ରତିଯୋଗିତାରେ ଭାରତୀୟ ଦଳ ପୂର୍ବବର୍ଷମାନଙ୍କ ପରି ପ୍ରତିନିଧିତ୍ୱ କରିବ । ଏହି ଦଳରେ ଭଦ୍ରକ ମାଟିର ସୁଯୋଗ୍ୟ ପୁଅ ଡ଼ା. ବିଭୂକଲ୍ୟାଣ ନାୟକ ମେଡ଼ିକାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଡ଼ା. ନାୟକ ୨୦୧୮ ମସିହାରେ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳରେ ସମାନ ପଦବୀରେ ନିଯୁକ୍ତ ହୋଇଥିଲେ । ପ୍ରଥମ ଓଡ଼ିଆ ଭାବେ ଡ଼ା. ନାୟକ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ଅବସ୍ଥାନ କରୁଥିବା ଡ଼ା. ନାୟକ ଏହି ଜିଲ୍ଲା ବିଲଣା ଗ୍ରାମର ଜମିଦାର ୰ରମାକନ୍ତ ନାୟକଙ୍କ ପୌତ୍ର, ଓଡ଼ିଶା ବିଦୁ୍ୟତ୍ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ସୀତକାନ୍ତ ନାୟକଙ୍କ ପୁତ୍ର, ଭଦ୍ରକର ବରିଷ୍ଠ ଅଧିବକ୍ତା ରାଧାକାନ୍ତ ନାୟକ, ଜତିକାନ୍ତ ନାୟକଙ୍କ ପୁତୁରା ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଣଜା ଅଟନ୍ତି । ଡ଼ା. ନାୟକଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।