ଭଦ୍ରକ: ଚର୍ଚ୍ଚାରେ ଅନୁସୂଚିତ ଜାତି ବର୍ଗର ନେତା

Mar 12, 2019 - 15:08
 157
ଭଦ୍ରକ, ୧୧/୩(ସକାଳଖବର): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜିଲ୍ଲାର ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଦଳ ମଧ୍ୟରେ ନିର୍ବାଚନକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଥିବା ବେଳେ କିଏ ଦଳୀୟ ପ୍ରାର୍ଥୀ ହେବ ଏବଂ ଆଉ କିଏ ବାଦ୍ ପଡିବ ସେଥି ନେଇ ଜନସାଧାରଣଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା । ବିଶେଷ କରି ଶାସକ ବିଜୁ ଜନତା ଦଳର ସଂଖ୍ୟାଧିକ ନୂଆନେତାଙ୍କ ଆବିର୍ଭାବ ଜିଲ୍ଲାର ବିଜେଡି ରାଜନୀତିକୁ ସରଗରମ କରିଥିବା ବେଳେ ପୁରୁଖା ନେତାଙ୍କୁ ଚଳିତ ୨୦୧୯ ନିର୍ବାଚନରେ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି । ଦଳ ମଧ୍ୟରେ ଯେଉଁ କେତେଜଣ ନୂଆନେତାଙ୍କ ଅବିର୍ଭାବ ଘଟିଛି ସେମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦଳିତ ମହାସଂଘ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ଯେନା । ଅନୁସୂଚିତ ଜାତି ବର୍ଗର ନେତା ଶ୍ରୀ ଯେନା ଜିଲ୍ଲାର ସଂରକ୍ଷିତ ଥିବା ଭଦ୍ରକ ଲୋକସଭା ଏବଂ ଧାମନଗର ବିଧାନସଭା ଆସନ ମଧ୍ୟରୁ ଯେକୌଣସି ଗୋଟିକର ମୁଖ୍ୟ ଦାବିଦାର ହୋଇଥିବା ବେଳେ ଦଳର ହାଇକମାଣ୍ଡ ତାଙ୍କୁ କେଉଁ ଆସନରୁ ପ୍ରାର୍ଥୀ କରିବେ ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ବର୍ଷ ହେବ ଜିଲ୍ଲାର ଦଳିତ ଆନେ୍ଦାଳନର ମୁଖ୍ୟ କର୍ଣ୍ଣଧାର ସାଜିଥିବା ଶ୍ରୀ ଯେନା ମଧ୍ୟ ସାମ୍ବାଦିକ ଭାବେ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ଯେନା ଇତିମଧ୍ୟରେ ବିଭିନ୍ନ ସାହି, ବସ୍ତି, ପଂଚାୟତ ପଂଚାୟତ ବୁଲି ଜନସାଧାରଣଙ୍କ ସମର୍ଥନ ହାସଲ କରୁଥିବାରୁ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସେହିପରି ଶ୍ରୀ ଯେନା ଦଳୀୟ କାର୍ଯ୍ୟକ୍ରମ ସହିତ ସରକାରୀ ସ୍ତରରେ ହେଉଥିବା ଜନହିତକର ଯୋଜନା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ଜିଲ୍ଲା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଭାବେ ଉଭା େହାଇଛନ୍ତି । ଦଳର ନୀତି ଆଦର୍ଶ ଅନୁଯାୟୀ ଚଳିତ ୨୦୧୯ ନିର୍ବାଚନରେ ଏଥର ବିବାଦୀୟ ଏବଂ ବୟସ୍କ ନେତାଙ୍କୁ ଟିକେଟରୁ ବଂଚିତ କରାଯାଉଥିବାରୁ ଶ୍ରୀ ଯେନା ନିର୍ବିବାଦୀୟ ଭାବେ ଦଳୀୟ ପ୍ରାର୍ଥୀ ହେବା ନେଇ ମୁଖ୍ୟ ଦାବୀଦାର ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଜଣାପଡିଛି । ସଂରକ୍ଷିତ ଭଦ୍ରକ ଲୋକସଭା ଆସନରେ ପ୍ରତିନିଧିତ୍ୱ କରି ଆସୁଥିବା ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ବୟସାଧିକ୍ୟ କାରଣ ଏବଂ ବିବାଦରେ ଥିବା ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳକୁ ବିକଳ୍ପ ସନ୍ଧାନରେ ଥିବା ଦଳର ହାଇକମାଣ୍ଡ ଦଳିତ ନେତା ଶ୍ରୀ ଯେନାଙ୍କୁ ଯେକୌଣସି ଗୋଟିଏ ଆସନରେ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।